ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ; ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ହେଲେ ସୁସ୍ଥ

2,597

କନକ ବ୍ୟୁରୋ:  ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ଯାଜପୁର ଜିଲ୍ଲାର ୪ଜଣ, ଭଦ୍ରକ ଜିଲ୍ଲାର ୨ଜଣ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏଁ ବୋଲି ସୂଚନା ମିଳିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଭିତରୁ ମୋଟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦୩ ଥିବା ବେଳେ ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ଜଣଙ୍କର ମୃତ୍ୟୁ ଘଟିଛି।

ରାଜ୍ୟରେ ଆଉ ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେଥି ମଧ୍ୟରୁ ବାଲେଶ୍ୱର ଓ ଗଂଜାମରେ ସର୍ବାଧିକ ୧୨ଟି ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହା ସହ ପୁରୀରେ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୬ ଜଣ, ନୟାଗଡରେ ୩ ଜଣ, ନୟାଗଡରେ ୩. ଯାଜପୁରରେ ୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି କଟକ, ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଓ ଯାଜପୁରର ସମସ୍ତ ନୂଆ ଆକ୍ରାନ୍ତଙ୍କ ସୁରତ ଫେରନ୍ତା ଏବଂ ସେମାନେ କ୍ୱାରେନଟିନରେ ରହିଥିଲେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ସେହିପରି ପୁରୀରୁ ଚିହ୍ନଟ ହୋଇଥିବା ୧୦ ଜଣ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଛି । ସେହିପରି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ପଶ୍ଚିମ ବଙ୍ଗ ଲିଙ୍କ ଥିବା ବେଳେ ୨ ଜଣ ସୁରତ, ଜଣେ ମହାରାଷ୍ଟ୍ର ଏବଂ ଜଣେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ପହଂଚିଛି ।