ସ୍ୱାଭିମାନ ଅଂଚଳ ଉପରେ ଆନ୍ଧ୍ରର ନଜର । ରିଲିଫ ବାଂଟି ଲୋଭ ଦେଖାଉଛି ପଡୋଶୀ ରାଜ୍ୟ, ପ୍ରଜାମେଳିରେ ଆନ୍ଧ୍ରରେ ମିଶିବାକୁ ଖୋଲା ଚେତାବନୀ ।

169

କନକ ବ୍ୟୁରୋ : ଓଡିଶା ସୀମାରେ ଆନ୍ଧ୍ରପ୍ରଦେଶର ମାମଲାତି । ସ୍ୱାଭିମାନ ଅଂଚଳରେ ପ୍ରଜାମେଳି କରି ବୁଡି ଅଂଚଳବାସୀଙ୍କୁ ଧାନ ମାଣ୍ଡିଆ ଆଦି ବାଂଟିଲେ ଆନ୍ଧ୍ର ଜନ ପ୍ରତିନିଧୀ । କେବଳ ରିଲିଫ ନୁହଁ ବରଂ ସ୍ୱାଭିମାନ ଅଂଚଳବାସୀଙ୍କ ପ୍ରତି ଅବହେଳାର ଆଳ ଦେଖାଇ ୫ଟି ପଂଚାୟତର ଲୋକଙ୍କୁ ଆନ୍ଧ୍ର ସହ ମିଶିଯିବା ଲାଗି ଉସକାଇଛି ପଡୋଶୀ ରାଜ୍ୟ । ସ୍ୱାଭିମାନ ଅଂଚଳର ଓରାପଦର ଠାରେ ମାଓ ସଙ୍ଗଠନର ପ୍ରଛଦ ସମର୍ଥନରେ ପ୍ରଜାମେଳି କରି ୫ ହଜାର ଲୋକଙ୍କୁ ଓଡିଶା ବିରୁଦ୍ଧରେ ମତେଇ ଜନମତ ହାସଲ କରିବାକୁ ଉଦ୍ୟମ କରିଛି ଆନ୍ଧ୍ର ପ୍ରଦେଶ ସରକାର । ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଯୋଗୁ କ୍ଷତି ସହୁଥିବା ଚାଷୀଙ୍କ କ୍ଷତିପୁରଣ ସହ ୩୧ ଦଫା ଦାବୀ ପୂରଣ ନହେଲେ ଆଗାମି ଦିନରେ ଓଡିଶା ବିରୋଧୀ ଅନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ଚେତାଇ ଦେଇଛି ବିଚ୍ଛିନ୍ନାଂଚଳ ଜନ ବିକାଶ ମଂଚ ।

ସ୍ୱାଭିମାନ ଅଂଚଳ ଉପରେ ଆନ୍ଧ୍ରପ୍ରଦେଶର ନଜର । ବୁଡ଼ି ଅଂଚଳବାସୀଙ୍କୁ ଆନ୍ଧ୍ର ମୁହାଁ କରିବାକୁ ଷଡ଼ଯନ୍ତ୍ର । ସହାୟତା ଦେଇ ଲୋଭ ଦେଖାଇଲା ପଡୋଶୀ ରାଜ୍ୟ । ଲାଲ ସଲାମ ଓ ଆନ୍ଧ୍ର ପ୍ରଶାସନ ଜିନ୍ଦାବାଦ ନାରାରେ କମ୍ପୁଛି ବୁଡି ଅଂଚଳ । ହାତରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ଜନତା । ମାଲକାନଗିରି ସ୍ୱାଭିମାନ ଅଂଚଳ ସ୍ଥିତ ‘ଓରାପଦର’ରେ ବିରାଟ ପ୍ରଜାମେଳି କରି ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧରେ ଏକାଠି ହେଲେ ୫ଟି ପଂଚାୟତର ହଜାର ହଜାର ଲୋକ । ବାଲିମେଳା ଜଳଭଣ୍ଡାରର ଜଳସ୍ତର ବଢିବାରୁ ଧାନ, ବିରି, ମୁଗ ଭଳି ଫସଲ ନଷ୍ଟ ହୋଇଛି, ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ବୁଲବୁଲ, ହୁଡହୁଡ, ତିତଲି ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସହାୟତା ଦିଆଯାଇଛି, ହେଲେ ସ୍ୱାଭିମାନ ଅଂଚଳବାସୀଙ୍କୁ ଅଣଦେଖା କରାଯାଉଛି ବୋଲି କହିଛନ୍ତି ବୁଡି ଅଂଚଳ ବାସିନ୍ଦା ।

ଓଡିଶା ସରକାରଙ୍କ ଅବହେଳାର ଆଳ ଦେଖାଇ ଆନ୍ଧ୍ର ପକ୍ଷରୁ ୨୦୦ ବସ୍ତାରୁ ଅଧିକ ଧାନ, ଚାଉଳ, ସୁଆଁ, ମୁଗ ବାଂଟିଛନ୍ତି ସୀମା ଆରପଟେ ଥିବା ଆନ୍ଧ୍ରର ଜନ ପ୍ରତିନିଧୀ । ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ ପରି ମୌଳିକ ସମସ୍ୟା ସମାଧାନର ଦାବି ଦୋହରାଇ ସ୍ୱାଭିମାନ ଅଂଚଳବାସୀଙ୍କୁ ପ୍ରବର୍ତାଉଛନ୍ତି ଆନ୍ଧ୍ରର ନେତା । ଆଉ ସେଇ ଆନ୍ଧ୍ର ନେତାଙ୍କ ସ୍ୱରରେ ସ୍ୱର ମିଶାଇ, ଦାବି ପୂରଣ ନହେଲେ ଆଗାମି ଦିନରେ ଆନ୍ଧ୍ରରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଜାମେଳିରେ ଉପସ୍ଥିତ ଜନତା ।

ପୂର୍ବରୁ ସ୍ୱାଭିମାନ ଅଂଚଳରେ ବହୁ ପ୍ରଜାମେଳି ହୋଇଛି । ହେଲେ ଏହି ଗଣ-ଆନ୍ଦୋଳନ ପ୍ରଚ୍ଛଦ ପଟରେ ଆନ୍ଧ୍ର ପ୍ରଶାସନ ଓ ମାଓ ସଙ୍ଗଠନର ସମର୍ଥନ ଥିବା କୁହାଯାଉଛି । ବୁଡି ଅଂଚଳରେ ମାଓବାଦୀଙ୍କ ଦବଦବା ଯୋଗୁ ଲୋକଙ୍କ ପାଖରେ ପ୍ରଶାସନ ପହଁଚି ପାରୁନଥିବା ବେଳେ ଆନ୍ଧ୍ର ପ୍ରଦେଶର ଏଭଳି ଷଡଯନ୍ତ୍ର ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଓଡିଶାର ଏହି ସମସ୍ୟା ସମ୍ପର୍କରେ ଆନ୍ଧ୍ର ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ଆନ୍ଧ୍ରରୁ ଆସିଥିବା ଜନ ପ୍ରତିନିଧି ।