ମୁମ୍ବାଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା । ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଏବେ ବି ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି ୧୫୦ରୁ ଅଧିକ ଆହତ ବ୍ୟକ୍ତି

112

କନକ ବ୍ୟୁରୋ : ମୁମ୍ବାଇର ପୂର୍ବ ଅନ୍ଧେରି ସ୍ଥିତ ମାରୋଲର ୫ ମହଲା ବିଶିଷ୍ଟ ଇଏସଆଇସି କାମଗାର ହସ୍ପିଟାଲରେ ଗତକାଲି ଅପରାହ୍ନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଗତକାଲି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୫୦ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ମୃତକଙ୍କ ମଧ୍ୟରେ ଏକ ୨ ମାସର ଶିଶୁ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଅଗ୍ନିକାଣ୍ଡ ସମୟରେ ହସପିଟାଲରେ ୧୬୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ରୋଗୀଙ୍କ ସମେତ ଅଧିକାଂଶ ଲୋକ ନିଆଁରୁ ନିଜକୁ ରକ୍ଷା କରିବାପାଇଁ ହସ୍ପିଟାଲ୍ ଛାତ ଉପରୁ ଡେଇଁ ପଡ଼ିଥିବାରୁ ଆହତ ହୋଇଛନ୍ତି। ପାଖାପାଖି ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି।ଆଇସିୟୁ ବିଭାଗରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି।

ଗତକାଲି ଅପରାହ୍ନରେ ଲାଗିଥିବା ଏହି ନିଆଁକୁ ଆୟତ କରିବା ପାଇଁ ୧୦ଟି ଫାୟାର ଇଞ୍ଜିନ୍, ୬ଟି ଟ୍ୟାଙ୍କର ବ୍ୟବହାର କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରୋଗୀଙ୍କୁ ଉଦ୍ଧାର କରାଯିବା ସହିତ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ୧୬ ଆମ୍ବୁଲାନ୍ସ ବ୍ୟବହାର କରାଯାଇଥିଲା। ତେବେ ଏହି ଦୁଃଖଦ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ଏହାଛଡା ଗମ୍ଭୀର ରୂପେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସେହିଭଳି ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।