ନଦୀ ଏପଟେ ଗାଁ, ସେପଟେ ଆଦିବାସୀଙ୍କ ଜୀବନ ଜୀବିକା । ନଈ ପାରି ହେଲେ ମିଳୁଛି ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାଙ୍କ ସୁବିଧା । ପିଡିଏସ ସାମଗ୍ରୀ ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା ।

213

କନକ ବ୍ୟୁରୋ : ନଦୀ ଏପଟେ ଗାଁ ସେପଟେ ଆଦିବାସୀଙ୍କ ଜୀବନ ଜୀବିକା । ରାତି ପାହିଲେ ଲୋକଙ୍କୁ ଘାରୁଛି ନଦୀପାରି ଚିନ୍ତା । କାରଣ ବୈତରଣୀ ନଦୀ ପାରି ହେଲେ ହିଁ ମିଳିବ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାଙ୍କ ସୁବିଧା । କେବଳ ଏତିକି ନୁହେଁ ପିଡିଏସ ସାମଗ୍ରୀ ପାଇଁ ବି ଡଙ୍ଗା ହିଁ ଏକମାତ୍ର ଭରସା । ଆମେ କହୁଛୁ ଆନନ୍ଦପୁର ବ୍ଲକର ନୂତନ ପଂଚାୟତ ବୁଢ଼ୀକୁଦର ଦୁଃଖ ଆଉ ସମସ୍ୟାର କାହାଣୀ ।

ନଦୀ ପାରିହେଲେ ବିକାଶର ସୂର୍ଯ୍ୟ ଦେଖନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବୁଢୀକୁଦ ପଂଚାୟତବାସୀ । ବୈତରଣୀ ନଦୀ ଆରପଟେ ଥିବା ଆଦିବାସୀ ବହୁଳ ବୁଢୀକୁଦ ପଂଚାୟତରେ ୫ ହଜାର ଲୋକ ବସବାସ କରୁଛନ୍ତି । ୨ ହଜାର ଭୋଟର ରହିଛନ୍ତି । ହେଲେ ରାତି ପାହିଲେ ନଦୀ ପାରିହେବାକୁ ପଡେ ଏମାନଙ୍କୁ । ବୈତରଣୀ ଏପଟେ ଗାଁଗୁଡିକ ଥିବା ବେଳେ ସେପଟେ ରହିଛି ଉଚ୍ଚ ବିଦ୍ୟାଳୟ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର, ବ୍ୟାଙ୍କସେବା, ହାଟ ବାଟ ସବୁ କିଛି ।

ଆନନ୍ଦପୁର ବ୍ଲକରେ ନୂତନ ଭାବେ ଗଠିତ ହୋଇଛି ବୁଢ଼ୀକୁଦ ପଂଚାୟତ । ୬ଟି ଗାଁର ୧୧ଟି ୱାର୍ଡ ବୁଢ଼ୀକୁଦ ପଂଚାୟତର ପରିଚୟ । ପୂର୍ବରୁ ଏହି ୬ଟି ଗାଁ କୋଳିମାଟି ପଂଚାୟତରେ ଥିଲା । ନୂଆ କରି ଗଢା ହୋଇଥିବା ପଂଚାୟତର ୨ ପଟେ ଜଙ୍ଗଲ ରହିଥିବା ବେଳେ ଅନ୍ୟ ଗୋଟିଏ ପଟେ ବୈତରଣୀ ନଦୀ ବହୁଛି । ନୂଆ ବୁଢ଼ୀକୁଦ ପଂଚାୟତ ଗଠନ ହୋଇଥିଲେ ସୁଦ୍ଧା ପିଡିଏସ ସାମଗ୍ରୀ ପାଇଁ ପାଣି ପାରି ହୋଇ କୋଳିମାଟି ପଂଚାୟତକୁ ଯିବାକୁ ପଡୁଛି । ତେଣୁ ହିତାଧିକାରୀଙ୍କ ମଧ୍ୟର ଅସନ୍ତୋଷ ବଢୁଛି ।

ଆନନ୍ଦପୁର ବ୍ଲକ ଅଧ୍ୟକ୍ଷ ଏହି ପଂଚାୟତରୁ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କର ବହୁ ଦିନର ଦୁର୍ଦ୍ଦଶା ଦୂର କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ନଦୀ ସେପାରି ଆନନ୍ଦପୁରକୁ ଯିବା ପାଇଁ ରାସ୍ତା ଅଛି । ହେଲେ ରାସ୍ତା ଦେଇ ଗଲେ ଅଧିକ ବୁଲାଣୀ ପଡୁଥିବାର ଲୋକ ଜଳପଥକୁ ଆଦରି ନେଇଛନ୍ତି ।