ସେବେ ଥିଲେ ସୁନାଝିଅ…ଏବେ ହୋଇଗଲେ ବୋଝ । ଟ୍ରାକରେ ଦୌଡି ଓଡିଶାର ପାଇଁ ଗୌରବ ଆଣିଥିବା ପଦ୍ମା ଆଜି ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ପରିବାର ବୋଝ ସାଙ୍ଗକୁ ଆର୍ଥିକ ଅନାଟନ ଭିତରେ ହଜିଯାଇଛି ଜାତୀୟ ଧାବିକାଙ୍କ ସୁନେଲି ସ୍ୱପ୍ନ

847

କନକ ବ୍ୟୁରୋ: ଦୌଡିବାର ନିଶା ପିଲାଟି ଦିନରୁ ଆଣିଦେଇଥିଲା ସଫଳତା । ସ୍କୁଲଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଉଭୟ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ଦୌଡ ପ୍ରତିଯୋଗିତାରେ ଭାଗ ନେଇ ଦିନେ ଓଡିଶା ପାଇଁ ଗୌରବ ଆଣିଥିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସିରିଡ ଗାଁର ପଦ୍ମା କିଶାନ । ହେଲେ ଆଜିର ଦିନରେ ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି ଏହି ଆର୍ନ୍ତଜାତୀୟ ଧାବିକାଙ୍କ ଜୀବନ । ପରିବାର ବୋଝ ସାଙ୍ଗକୁ ଆର୍ଥିକ ଅନାଟନ ଭିତରେ ହଜିଯାଇଛି ପଦ୍ମାଙ୍କ ସେହି ସୁନେଲି ସ୍ୱପ୍ନ ଆଉ ଅଲୋଡା ହୋଇଯାଇଛନ୍ତି ସରକାରଙ୍କ ପାଇଁ ।

ଏ ହେଉଛନ୍ତି ଆର୍ନ୍ତଜାତୀୟ ଧାବିକା ପଦ୍ମା କିଶାନ । ଆଖିରେ ଆଖିଏ ସ୍ୱପ୍ନ । ସ୍କୁଲ, କଲେଜ ବେଳୁ ଅନେକ ଦୌଡ ପ୍ରତିଯୋଗିତାରେ ଭାଗ ନେଇ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରି ଦିନେ ଓଡିଶାର ସୁନାଝିଅ ପାଲଟିଯାଇଥିଲେ । ଏପରିକି ଘରର ଆର୍ଥିକ ଅବସ୍ଥା ସେତେ ଭଲ ନଥିବାରୁ ପରଘରେ ମୂଲ ଲାଗି ଏବଂ ମାଗିଯାଚି ଜାତୀୟ-ଆର୍ନ୍ତଜାତୀୟ ଦୈାଡ ପ୍ରତିଯୋଗିତାରେ ଭାଗ ନେଇ ଅଂଚଳ ତଥା ରାଜ୍ୟ ପାଇଁ ଗୈାରବ ଆଣିଥିଲେ । ହେଲେ ଆଜି ସେହି ସାର୍ଟିଫିକେଟଗୁଡିକୁ ଚାହିଁ ଲୁହ ଗଡାଇବା ସହ ଦାରିଦ୍ର୍ୟର ପାହାଡ ତଳେ ଚାପି ହୋଇଯାଇଛନ୍ତି ଏହି ଧାବିକା ଜଣକ । ପଦ୍ମା ବାହା ହୋଇଛନ୍ତି ସତ ହେଲେ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ବାଧ୍ୟ ହୋଇ ତାଙ୍କୁ ନିଜ ବୁଢା ବାପାମାଆଙ୍କ ସହ ଏକ ଭଙ୍ଗା ଦଦରା ଘରେ ରହିବାକୁ ପଡୁଛି । ଆଉ ମୂଲ ଲାଗି ଯାହା ଆଣୁଛନ୍ତି ସେଇଥିରେ ତାଙ୍କ ପୂରା ପରିବାର ଚଳୁଛି ।

ତେବେ ଏଭଳି ପ୍ରତିଭାର ଅଧିକାରୀ ଅଭାବ ଅନାଟନରେ ଜୁଝି ହେଉଥିବା ବେଳେ ପରିବାରର ଅସୁବିଧା ନେଇ ଅନେକ ଥର ପ୍ରସାଶନ ପାଖରେ ଗୁହାରି କଲାପରେ ବି କେବଳ ପ୍ରତିଶ୍ରୁତି ଛଡା କିଛି ମିଳିନି । ସତେ ଯେମିତି ଲାଗୁଛି ଏହି ଧାବିକା ଏବେ ସରକାରଙ୍କ ପାଇଁ ଅଲୋଡା ହୋଇଯାଇଛନ୍ତି । ଏବେ ଖାଲି ଦେଖିବାକୁ ବାକି ରହିଲା କେବେ ମିଳୁଛି ସରକାରଙ୍କ ସାହାଯ୍ୟ ଆଉ କେବେ ଘୁଂଚୁଛି ପଦ୍ମାଙ୍କ ଦୁଃଖ ।