ଦୁର୍ଘଟଣାର ୫୧ ବର୍ଷ ପରେ ମିଳିଲା ବାୟୁସେନା ବିମାନର ଭଗ୍ନାବଶେଷ । ମିଳିଲାନି ମୃତ ଦେହର କୌଣସି ସନ୍ଧାନ ।

1,052

କନକ ବ୍ୟୁରୋ: ୫୧ ବର୍ଷ ପରେ ମିଳିଲା ବାୟୁସେନାର ନିଖୋଜ ବିମାନର ଭଗ୍ନାବଶେଷ । ଗତ ୧୯୬୮ ଫେବୃୟାରୀ ୭ ତାରିଖରେ ବାୟୁସେନାର ଏଏନ-୧୨ ବିଏଲ୍-୫୩୪ ବିମାନ ହିମାଚଳପ୍ରଦେଶ ରୋହତାଙ୍ଗ୍ ନିକଟରେ ନିଖୋଜ ହୋଇଯାଇଥିଲା । ତେବେ ଗତ ଜୁଲାଇ ୨୬ ତାରିଖରୁ ଡୋଗରା ସ୍କାଉଟ ଏବଂ ବାୟୁସେନାର ମିଳିତ ଅପରେସନ ଦ୍ୱାରା ଆଜ ଏହାର ଭଗ୍ନାବଶେଷ ଢ଼ାକା ଗ୍ଲାସିୟରରୁ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି, ୫୧ ବର୍ଷ ତଳେ ନିଖୋଜ ହୋଇଥିବା ବାୟୁସେନାରେ ଏହି ବିମାନରେ ଥିବା ୧୦୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ସେତେବେଳେ ବିମାନର ସହ ବିମାନରେ ଥିବା ଯବାନଙ୍କ ମୃତ ଦେହର କୌଣସି ସନ୍ଧାନ ମିଳି ପାରିନଥିଲା । ତେବେ ଢ଼ାକା ଗ୍ଲାସିୟର ସମୂଦ୍ର ପତନ ଠାରୁ ୫ ହଜାର ୨୪୦ ମିଟର ଉଚ୍ଚରେ ଏହି ନିଖୋଜ ବିମାନର ଭଗ୍ନାବଶେଷ ରହିଥିବା ସୂଚନା ମିଳିଛି ।

ଏହାସହ ବିମାନର କିଛି ଜିନିଷ ପତ୍ର ମିଳିଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରହିଛି- ଏରୋ ଇଂଜିନ୍, ଇଲେକ୍ଟ୍ରିକ୍ ସର୍କିଟ୍, ପ୍ରୋପେଲ୍ଲର, ଫ୍ୟୁଏଲ ଟାଙ୍କ୍, ଏୟାର ବ୍ରେକ୍ ଭଳି ବିଭିନ୍ନ ଜିନିଷ । ସୂଚନା ମୁତାବକ, ୫୧ ବର୍ଷ ତଳେ ବାୟୁସେନାର ଏହି ବିମାନ ଚଣ୍ଡିଗଡ଼ରୁ ଯବାନଙ୍କୁ ନେଇ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ହଠାତ୍ ହିମାଚଳପ୍ରଦେଶର ରୋହତାଙ୍ଗ୍ ନିକଟରେ ବିମାନଟିର ନିଖୋଜ ହୋଇଯାଇଥିଲା । ପରେ ଜଣାପଡ଼ିଥିଲା ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ କେଉଁଠି ଥିଲା ବିମାନର ଭଗ୍ନାବଶେଷ ତାହା ୫୧ ବର୍ଷ ହେବ ଇତିହାସ ହୋଇ ରହିଥିଲା ।