ରାଷ୍ଟ୍ରପତି ଶାସନ ଲାଗୁ ନେଇ ମୁହଁ ଖୋଲିଲେ ଅମିତ ଶାହା । କହିଲେ, ୨ ଦିନ ମାଗୁଥିଲ, ଏବେ ୬ ମାସ ସମୟ ଅଛି । ବହୁମତ ଅଛି ତ ସରକାର ଗଢିବାକୁ ରାଜ୍ୟପାଳଙ୍କୁ ଭେଟ ।

1,223

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏନସିପି-କଂଗ୍ରେସ-ଶିବସେନା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଆଉ ଏହାଭିତରେ ରାଷ୍ଟ୍ରପତି ଶାସନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟପାଳଙ୍କ ନିଷ୍ପତିକୁ ନେଇ ଉଠିଥିବା ପ୍ରଶ୍ନର ସିଧାସିଧା ଉତ୍ତର ଦେଇଛନ୍ତି ଶାହା । ଏହାପୂର୍ବରୁ କୌଣସି ରାଜ୍ୟରେ ସରକାର ଗଢିବାକୁ ଏତେ ସମୟ ଦିଆଯାଇନଥିଲା । ମହାରାଷ୍ଟ୍ରରେ ସରକାର ଗଢିବାକୁ ରାଜ୍ୟପାଳ ୧୮ ଦିନ ସମୟ ଦେଇଛନ୍ତି । ଏପରିକି ବିଧାନସଭର କାର୍ଯ୍ୟକାଳ ଶେଷ ହେବା ପରେ ସରକାର ଗଢିବାକୁ ୩ ଦଳକୁ ଆମନ୍ତ୍ରିତ ମଧ୍ୟ କରିଥିଲେ । କିନ୍ତୁ ସରକାର ଗଢିବାକୁ କୌଣସି ଦଳ ଦାବି କରିନଥିଲା । ଯେଉଁଥିପାଇଁ ରାଜ୍ୟପାଳଙ୍କୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିବାକୁ ପଡିଲା । କିନ୍ତୁ ଏବେ ମଧ୍ୟ ସରକାର ଗଢିବା ପାଇଁ ସୁଯୋଗ ରହିଛି । ଯେଉଁ ଦଳ ପାଖରେ ବହୁମତ ରହିଛି ସେ ଦଳ ରାଜ୍ୟପାଳଙ୍କ ନିକଟକୁ ଯାଇପାରିବ ।

ଏହାସହ ଅମିତ କହିଛନ୍ତି, ରାଷ୍ଟ୍ରପତି ଶାସନ ଲାଗୁ ହେବାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ଗୋଟିଏ ସାମ୍ବାଧାନିକ ପଦକୁ ନେଇ ଏଭଳି ରାଜନୀତି କରିବା ଅନୁଚିତ । ରାଷ୍ଟ୍ରପତି ଶାସନ ଲାଗୁ ହେବା ଦ୍ୱାରା ବିଜେପିକୁ ଅଧିକ କ୍ଷତି ହୋଇଛି ।

ଏସବୁ ଭିତରେ ଶିବସେନାକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଶିବସେନା ସହ ୩୦ ବର୍ଷର ସମ୍ପର୍କ ଭାଙ୍ଗିବାକୁ ନେଇ ଶାହା କହିଛନ୍ତି, ନିର୍ବାଚନ ପୂର୍ବରୁ ବିଭିନ୍ନ ସଭାରେ ମୋଦି ଓ ମୁଁ ବାରମ୍ବାର କହିଥିଲୁ ଯେ, ଯଦି ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ବିଜୟ ହୁଏ ତେବେ ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ସରକାର ଗଢିବାକୁ ଶିବସେନା ଏବେ ନୂଆ ସର୍ତ୍ତ ରଖୁଛି । ଯାହାକୁ ଆମେ ସ୍ୱୀକାର କରିପାରିବୁ ନାହିଁ । ଆମେ କାହା ବିଶ୍ୱାସଘାତକତା କରିନାହୁଁ । ପୂର୍ବରୁ ସରକାର ଗଠନ ପାଇଁ ୨ ଦିନ ସମୟ ମାଗୁଥିଲେ, ଏବେ ୬ ମାସ ଦିଆଯାଇଛି । ଯାହା ପାଖରେ ବହୁମତ ଅଛି ସେ ରାଜ୍ୟପାଳଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିପାରିବେ ।