ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ସଂସଦରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ । କହିଲେ, ଘାଟିରେ ସ୍ୱାଭାବିକ ରହିଛି ପରିସ୍ଥିତି, ସମୟ ଆସିଲେ ମିଳିବ ଇଂଟରନେଟ ସୁବିଧା ।

152

କନକ ବ୍ୟୁରୋ : ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗରେ ଜୋରଦାର ହୋଇଛି ଆଲୋଚନା । ଘାଟିରୁ ୩୭୦ହଟିବା ପରେ ଲଗାଯାଇଥିବା କଟକଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । କଂଗ୍ରେସ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନର ଜବାବ ଅମିତ ଶାହା ରଖୁଥିବା ବେଳେ ଏଥିରେ ହସ୍ତକ୍ଷେପ କରିଥିଲେ ଗୁଲାମ ନବୀ । ତେବେ ସେ ନିଜେ ଦେଇଥିବା ତଥ୍ୟ ଉପରେ ଗୁଲାମ ନବୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ଶାହା ।

ସଂସଦରେ ଉଠିଲା କାଶ୍ମୀର ପ୍ରସଙ୍ଗ । ଜାମ୍ମୁକାଶ୍ମୀରର ସ୍ଥିତିକୁ ନେଇ ରାଜ୍ୟସଭାରେ କଂଗ୍ରେସ ରାଜ୍ୟସଭା ସାଂସଦକୁ ଚ୍ୟାଲେଞ୍ଜ କରିଚନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଘାଟିରେ ସାଢେ ତିନି ମାସ ଧରି ବନ୍ଦ ହୋଇଥିବା ଇଂଟରନେଟ ସେବାକୁ ନେଇ ମୁହାଁମୁହିଁ ହୋଇଥିଲେ ଗୁଲାମ ନବୀ ଆଜାଦ ଓ ଅମିତ ଶାହା । କାଶ୍ମୀରରେ ପଡୋଶୀ ରାଷ୍ଟ୍ରର ଗତିବିଧି ରହିଥାଏ ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଂଟରନେଟ ସେବା ବନ୍ଦ କରାଯାଇଛି ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

ଗୃହରେ ଗୁଲାମ ନବୀ ଆଜାଦ କହିଥିଲେ ଯେ ୧୯୪୭ରୁ ପଡୋଶୀ ରାଷ୍ଟ୍ର ରହିଆସିଛି ଏବଂ କିଛି ଦିନ ପାଇଁ ଇଂଟରନେଟ୍ ସେବା ବନ୍ଦ କରାଯାଉଥିବା ବେଳେ ସାଢେ ତିନି ମାସ ପାଇଁ କେବେ ଇଂଟରନେଟ୍ ସେବା ବନ୍ଦ କରାଯାଇନାହିଁ । ଏବଂ ଏହାପରେ ଯେତେବେଳେ ଅମିତ ଶାହା ଜବାବ ରଖୁଥିଲେ ପୁଣି ହସ୍ତକ୍ଷେପ କରିଥିଲେ ଗୁଲାମ ନବୀ ଯାହାକୁ ନେଇ ତାଙ୍କୁ ଚ୍ୟାଲେଂଜ କରିଥିଲେ ଅମିତ ଶାହା ।

କାଶ୍ମୀର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ଅଗଷ୍ଟ ୫ ପରେ କୌଣସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇନାହିଁ । ଏହାସହ ସ୍ୱାସ୍ଥ୍ୟସେବା ନେଇ ବିରୋଧୀଙ୍କ ପ୍ରଶ୍ନରେ ଜବାବ ରଖି ଅମିତ ଶାହା କହିଛନ୍ତି, ସ୍ୱାସ୍ଥ୍ୟ ସେବାକୁ ନେଇ କୌଣସି ସମସ୍ୟା ଦେଖା ଯାଇ ନାହିଁ । ଅଗଷ୍ଟ ୫ତାରିଖରେ କାଶ୍ମୀରରୁ ଧାରା ୩୭୦ ହଟିବା ସହ ବିଭିନ୍ନ କଟକଣା ଲଗାଇଥିଲେ କେନ୍ଦ୍ର ସରକାର । ଏହାକୁ ନେଇ ପ୍ରଥମ ଦିନରୁ ବିରୋଧୀ ବିରୋଧ କରିଆସୁଛନ୍ତି । ଏବେ ସଂସଦରେ ଜବାବ ରଖି କାଶ୍ମୀର ଘାଟିରେ ପରିସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।