ଶାହା କେବଳ ଜଣେ ଗୃହମନ୍ତ୍ରୀ, କୌଣସି ଭଗବାନ ନୁହଁନ୍ତି । ଜାଣନ୍ତୁ ଲୋକସଭାରେ ଅମିତ ଶାହାଙ୍କୁ କାହିଁକି ଏମିତି କହିଲେ ୱବେସି? ଦେଖନ୍ତୁ ଭିଡ଼ିଓ

278

NIAକୁ ଅଧିକ ସ୍ୱାଧୀନତା ଦେବା ପାଇଁ ଲୋକସଭାରେ ସଂଶୋଧିତ ବିଲ୍ ଆଗତ ହେବା ପରେ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି । ଏଆଇଏମଆଇଏମ ପ୍ରମୁଖ ଅସଦଉଦ୍ଦିନ ୱବେସି ଏହି ବିଲକୁ ବିରୋଧ କରିବା ସହ ବିଜେପି ସାଂସଦଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ତେବେ ୱବେସିଙ୍କୁ ମଧ୍ୟ ଡାଇରେକ୍ଟ ଆଟାକ କରିବାକୁ ପଛାଇ ନାହାନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଆପଣଙ୍କୁ ସମସ୍ତ କଥା ଶୁଣିବାକୁ ପଡିବ ବୋଲି ଗୃହ ମଧ୍ୟରେ ରୋକଠୋକ ଶୁଣାଇଛନ୍ତି ଶାହା ।

ତେବେ ଗୃହ ବାହାରେ ୱବେସି କହିଛନ୍ତି, ଯିଏ ବିଜେପିର ନିଷ୍ପତିକୁ ସମର୍ଥନ ନ କରିବ ତାହାକୁ ସରକାର ଦେଶଦ୍ରୋହୀର ଟ୍ୟାଗ୍ ଦେଉଛନ୍ତି । ଗୃହ ମଧ୍ୟରେ ଅମିତ ଶାହା ଆଙ୍ଗୁଳି ଉଠାଇବା ସହ ମୋତେ ଧମକ ଦେଉଛନ୍ତି କିନ୍ତୁ ଶାହା ଭୁଲିଯିବା ଉଚିତ ନୁହେଁ ଯେ, ସେ କେବଳ ଦେଶର ଗୃହମନ୍ତ୍ରୀ,ଭଗବାନ ନୁହଁନ୍ତି ।

ଏହାପୂର୍ବରୁ ଏନଆଇଏର ସଂଶୋଧିତ ବିଲ ଆଗତ ହେବା ପରେ ଲୋକସଭାରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ବିଜେପି ସାଂସଦ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସତ୍ୟପାଲ ସିଂ କହିଥିଲେ ଯେ, ଯେତେବେଳେ ହାଇଦ୍ରାବାଦ ବିସ୍ଫୋରଣ ଘଟଣାରେ ପୋଲିସ କିଛି ସଂଖ୍ୟାଲଘୁ ସମୁଦାୟର ଲୋକଙ୍କୁ ଗିରଫ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ପୋଲିସ କମିଶନରଙ୍କୁ ଚେତାବନୀ ଦେଇଥିଲେ । ଏପରିକି ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ ନହେଲେ ଚାକିରି ଚାଲିଯିବ ବୋଲି ମଧ୍ୟ ଧମକ ଦେଇଥିଲେ ।

ସତ୍ୟପାଲଙ୍କ ବୟାନକୁ ନେଇ ଆପତ୍ତି ଉଠାଇବା ସହ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ୱବେସୀ । ତେବେ ୱବେସୀଙ୍କ ଏଭଳି ଅନ୍ଦାଜ ଦେଖି ଗୃହମନ୍ତ୍ରୀ ଅମିତ ଶାହା ଚିହିଙ୍କି ଉଠିଥିଲେ । ଏଭଳି ପ୍ରସଙ୍ଗ ଶୁଣିବାକୁ ଧୈର୍ଯ୍ୟ ରଖନ୍ତୁ ବୋଲି ୱବେସୀଙ୍କୁ କହିଥିଲେ ଶାହା ।ଆଉ ଏହାପରେ ଗୃହ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା ।