ମୋଦି ଥିଲେ ଚୁପ୍ ବିଷ ଓଗାଳିଲେ ଶାହା ! ବିଜେପି ଚାଣକ୍ୟଙ୍କ ଉପରେ ପଡ଼ିଲା କି ରାହୁଲଙ୍କ ଇମ୍ପ୍ୟାକ୍ଟ ?

238

କନକ ବ୍ୟୁରୋ: ରାହୁଲଙ୍କ ଇମ୍ପ୍ୟାକ୍ଟ ଶାହା ହେଲେ ଗରମ । ବିଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ୍ ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ବିରୋଧରେ ମଉନ ପାଲଟି ଯାଇଥିଲେ । ଯାହାର ଫାଇଦା ଉଠାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ଗତ ୨୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ରାହୁଲ । ଏହାର ପ୍ରଭାବ ବିଜେପି ଶିବିରରେ ବେଶ୍ ପଡ଼ିଛି । ତେଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ହୋଇନଥିବା ସତ୍ତେ୍ୱ ୨୫ ତାରିଖରେ ରାହୁଲ ଲଗାଇଥିବା ଅଭିଯୋଗର ପାଲଟା ଜବାବ୍ ଦେବା ପାଇଁ ଶାହା ଓଡ଼ିଶା ଚାଲିଆସିଲେ । ମୋଦିଙ୍କ ମୁହଁରୁ ନବୀନଙ୍କ ବିରୋଧରେ ଯେଉଁ ଅଭିଯୋଗ ଶୁଣିବା ପାଇଁ ୪-୫ଟି ସମାବେଶ ପାଣିଚିଆ ହୋଇଗଲା ତାହାର ପୁନରାବୃତି କଲେନି ଶାହା ।
ମୋଦି ଛାଡ଼ିଥିଲେ ହେଲେ ଚାଣକ୍ୟ ଶାହା ମହାଶୟ ଟିକିଏ ଛାଡ଼ିଲେନି । କୌଣସି ଆରୋପ ବୁଲେଇ ବଙ୍କେଇ ନୁହେଁ ବରଂ ସିଧା ସିଧା ରାଜ୍ୟ ସରକାର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଗାଇ ବର୍ଷିଲେ ଶାହା । ପୁରୁଣା ଗୀତର ରେକର୍ଡ଼ିଂ ଭଳି ସେହି ଆୟୁଷ୍ମାନ ଯୋଜନା, ଘରେ ଘରେ ଗ୍ୟାସ୍ ଆଉ ସୌଚାଳୟ ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଆଧାର କରି ନବୀନଙ୍କୁ ସମାଲୋଚନା କରିଛନ୍ତି ବିଜେପି ଚାଣକ୍ୟ ଅମିତ୍ ଶାହା ।

ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି ଶାସନ ଗାଦିରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅକ୍ଷେପ କରି ଶାହା କହିଛନ୍ତି ଯେ, ସକଳ୍ପ କରି ଯାଆନ୍ତୁ ଆସନ୍ତା ବିଧାନସଭା ନିର୍ବାଚନ ପରେ ଓଡ଼ିଆ ଜାଣିଥିବା ଜଣେ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଥରେ ବିଜେପିକୁ ଭୋଟ ଦିଅନ୍ତୁ, ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିଦେବ । ଏହାସହ ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏମାନେ ଓଡିଶାର ଉନ୍ନତି କରିପାରିବେ ନାହିଁ । ସଂକଳ୍ପ କରିକି ଯାଆନ୍ତୁ ମୋଦି ସରକାର ପୁଣିଥରେ କେନ୍ଦ୍ରରେ ନଆସିବା ପର୍ଯ୍ୟନ୍ତ ବିଶ୍ରାମ ନେବାନି ଆମେ ।

ଆଗାମୀ ନିର୍ବାଚନକୁ ମାସ କେଇଟା ବାକିଥିବାବେଳେ ଏବେ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇଛି । ଆଉ ଏହାକୁ ଅଧିକ ଉଷ୍ମ କରିବାକୁ ଦିଲ୍ଲୀ ଦରବାରରୁ ଧାଇଁ ଆସୁଛନ୍ତି ଶୀର୍ଷ ନେତାଗଣ । ଆଞ୍ଚଳିକ ଦଳ ଭାବେ ବିଜେଡିକୁ ହଟାଇବା ଏବଂ ନିଜ ଦଳୀୟ ନେତୃତ୍ୱରେ ସରକାର ଗଢ଼ିବା ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଓଗାଳୁଛନ୍ତି କେନ୍ଦ୍ର ରାଜନୀତିର ହାଇକମାଣ୍ଡ । ସେପଟେ ଏହାକୁ କାଉଣ୍ଟର କରିବା ପାଇଁ ମଧ୍ୟ ରାଜ୍ୟ ସରକାର ସମରସଜ୍ଜା କରି ରଣନୀତି ପ୍ରସ୍ତୁତ କରି ବସିଛନ୍ତି । ଏବେ କେବଳ ନିର୍ବାଚନ ଉପରେ ରହିଛି ନଜର , କେଉଁ ଶୀର୍ଷ ନେତାଙ୍କ ସମାବେଶରେ ପ୍ରଭାବିତ ହେବେ ରାଜ୍ୟବାସୀ ତାହା ଆଗାମୀ ନିର୍ବାଚନ ଫଳାଫଳ ହିଁ ବୟାନ କରିବ ।