ବିଜେପି ଫୋକସରେ ଓଡିଶା ! ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ , ୨୨ରେ ଆସିବେ ମୋଦି ଓ ୨୪ରେ ଆସିବେ ଅମିତ

64

କନକ ବ୍ୟୁରୋ: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆସନ୍ତା ୨୪ରେ ଅମିତ ଶାହା ଓଡିଶା ଗସ୍ତରେ ଆସିବେ । ପୁରୀରେ ହେବାକୁ ଥିବା ବିଜେପିର ମହିଳା ସମାବେଶରେ ଯୋଗଦେବାକୁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆସନ୍ତା ୨୩, ୨୪ ଏବଂ ୨୫ ତାରିଖରେ ପୁରୀରେ ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବ । ଆଉ ଏହି ବୈଠକରେ ସାମିଲ ହେବାକୁ ଅମିତ ଶାହା ୨୪ ତାରିଖରେ ଓଡିଶା ଆସୁଛନ୍ତି । ତେବେ ବୈଠକରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିଷୟରେ ଆଲୋଚନା ହେବ । ବିଜେପି ରାଷ୍ଟ୍ରୀୟ ମହିଳା ଅଧ୍ୟତା ବିଜୟା ରାହତକର ମଧ୍ୟ ଏହି ସମାବେଶରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚ ସଭାପତି ପ୍ରଭାତୀ ପରିଡା

ସେପଟେ, ଆସନ୍ତା ସେପ୍ଟେମ୍ବର ୨୨ରେ ଓଡ଼ିଶା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଝାରସୁଗୁଡାରେ ନବନିର୍ମିତ ଏୟାରପୋର୍ଟର ଉଦଘାଟନ ଓ ତାଳଚେରଠାରେ ଥିବା ସାରକାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ୨୨ ତାରିଖରେ ନୂଆଦିଲ୍ଲୀରୁ ବାହାରି ସିଧାସଳଖ ଝାରସୁଗୁଡାରେ ପହଞ୍ଚି ସେଠାରେ ଏୟାରପୋର୍ଟକୁ ଉଦଘାଟନ କରିବେ । ଝାରସୁଗୁଡାରେ ସେ ନବନିର୍ମିତ ଏୟାରପୋର୍ଟକୁ ଉଦଘାଟନ କରିବା ସହ ଝାରସୁଗୁଡା-ରାଞ୍ଚି ଫ୍ଲାଇଟର ଶୁଭାରମ୍ଭ କରିବେ ।

ଏହା ପରେ ସେ ବାୟୁସେନାର ଏକ ହେଲକାପ୍ଟର ଯୋଗେ ତାଳଚେର ଆସି ସେଠାରେ ଥିବା ସାରକାରଖାନର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଶିଳାନ୍ୟାସ ପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ତାଳଚେରରୁ ସେ ସିଧାସଳଖ ଝାରସୁଗୁଡା ଫେରି ସେଠାରୁ ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଫେରିଯିବେ । ଝାରସୁଗୁଡା ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ୧୭୫ କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶା ସରକାର ୫୦ କୋଟି ଦେଇଛନ୍ତି ।

ତେବେ ସେ ଯାହା ହେଉନା କାହିଁକି ବିଜେପି ଫୋକସରେ ଏବେ ରହିଛି ଓଡିଶା । ଓଡିଶାରେ ସରକାର ବିରୋଧୀ ହାୱା ଅଧିକ ଥିବାରୁ ଏହାର ଫାଇଦା ବିଜେପିକୁ ମିଳିବ ବୋଲି ନିକଟରେ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା କହିଥିଲେ । ଶାହା କହିଥିଲେ ପୂର୍ବ ନିର୍ବାଚନ ତୁଳନାରେ ବିଜେପିକୁ ଓଡିଶାରେ ଅଧିକ ଭୋଟ୍ ମିଳିବ ବୋଲି ଶାହା କହିଥିଲେ ।