ସୁପ୍ରିମକୋର୍ଟରୁ ଜଗନ୍ନାଥ ମନ୍ଦିର ! ଶ୍ରୀମନ୍ଦିରକୁ ପ୍ରବେଶ କରିବେ କି ଅଣହିନ୍ଦୁ, କଣ ହେବ ସୁପ୍ରିମକୋର୍ଟଙ୍କ ଫୈସଲା ?

141

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ପୁରୀରେ ପହଁଚିଛନ୍ତି । ଆଜି ସେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ମନ୍ଦିର ବ୍ୟବସ୍ଥାବଳୀ ସଂପର୍କରେ ଆଲୋଚନା କରିଛନ୍ତି । ଏହାପରେ ସେ ଗଜପତି ମହାରାଜ, ଛତିଶା ନିଯୋଗ, ପୁରୀ ଜିଲ୍ଲା ଜଜ୍ ଓ ଶ୍ରୀମନ୍ଦିର ସଂସ୍କାର କମିଶନ୍ ଜଷ୍ଟିସ ବି.ପି. ଦାସଙ୍କୁ ମଧ୍ୟ ଭେଟି ସେମାନଙ୍କ ମତାମତ ନେବେ । ତେବେ ଆଜି ଗୋପାଳ ସୁବ୍ରମଣ୍ୟମ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଯେଉଁଠି ଭକ୍ତ ବେଶରେ ଦେଖିବାକୁ ମିଳିଥିଲା ଆମିକସ କ୍ୟୁରୀଙ୍କୁ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ବେଶରେ ପହଂଚିଥିଲେ ଆମିକସ କ୍ୟୁରି । ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି- ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍ ଗୁରୁବାରଠାରୁ ପୁରୀରେ ପହଞ୍ଚିସାରିଛନ୍ତି । ଆଉ ଶୁକ୍ରବାର ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପରିଚାଳନା ସଂସ୍କାର ନେଇ ସେ ତାଙ୍କ ମତାମତ ସୁପ୍ରିମକୋର୍ଟଙ୍କୁ ଦେବେ । ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାୟତ ନିଯୁକ୍ତି ବନ୍ଦ, ସେବାୟତମାନେ ଭକ୍ତଙ୍କ ଦାନ, ଦକ୍ଷିଣା ନେବା ବନ୍ଦ ଓ ବିଶେଷ କରି ଶ୍ରୀମନ୍ଦରକୁ ଅଣହିନ୍ଦୁଙ୍କ ପ୍ରବେଶ ନେଇ ତାଙ୍କ ମତାମତ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଗତ ଜୁଲାଇ ୮ ତାରିଖରେ ଏକ ପିଆଇଏଲର ଶୁଣାଣି କରି ଶ୍ରୀମନ୍ଦିରରେ ସଂସ୍କାର ଲାଗି ୧୨ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହିସବୁ ପ୍ରସ୍ତାବ ଉପରେ ସମସ୍ତ ପକ୍ଷର ମତାମତ ନେଇ କୋର୍ଟଙ୍କୁ ସହାୟତା କରିବାକୁ ଆମିକସ କ୍ୟୁରି ନିଯୁକ୍ତ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରି ଶ୍ରୀମନ୍ଦର ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଆମିକସ କ୍ୟୁରି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସପି ଏବଂ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଛନ୍ତି । କେଉଁସବୁ ପ୍ରସ୍ତାବକୁ ବିରୋଧ ହେଉଛି ? ଏନେଇ ସେବାୟତ ଓ ଭକ୍ତଙ୍କ ମତାମତ କଣ ରହିଛି? ସେ ବାବଦରେ ପଚାରି ବୁଝିଥିବା ଅନୁମାନ କରାଯାଉଛି ।

ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସାକ୍ଷାତ କରି ମନ୍ଦିର ବ୍ୟବସ୍ଥାବଳୀ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଗଜପତି ମହାରାଜ, ଛତିଶା ନିଯୋଗ, ପୁରୀ ଜିଲ୍ଲା ଜଜ୍ ଓ ଶ୍ରୀମନ୍ଦିର ସଂସ୍କାର କମିଶନ୍ ଜଷ୍ଟିସ ବି.ପି. ଦାସଙ୍କୁ ଭେଟି ମତାମତ ନେବେ ବୋଲି ଜଣାପଡିଛି । ଏଥିଲାଗି ପୁରୀରେ ଦୁଇଦିନ ରହି ସବୁପକ୍ଷ ସହ ସେ ଆଲୋଚନା କରିବେ । କେରଳର ପ୍ରସିଦ୍ଧ ପଦ୍ମନାଭସ୍ୱାମୀ ମନ୍ଦିରରେ ପରିଚାଳନାଗତ ସଂସ୍କାର ନେଇ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତି କରିଥିଲେ ସୁପ୍ରିମକୋର୍ଟ । ଆଉ ମନ୍ଦିରରେ ଅନୁଧ୍ୟାନ କରି ସୁବ୍ରମଣ୍ୟମ କୋର୍ଟଙ୍କୁ କହିଥିଲେ ଯେ, ଏକାଧିକ କମିଟି ଫଳରେ ମନ୍ଦିରର ନିତିଦିନିଆ କାର୍ଯ୍ୟରେ ବିଶୃଙ୍ଖଳା ହେଉଛି । ତେଣୁ ଏକ ନୋଡାଲ କମିଟି ଗଠନ କରି ମନ୍ଦିରରେ ଶୃଙ୍ଖଳା ଫେରାଇ ଆଣିବା ସଂପର୍କିତ ତାଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବିଚାର କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେଣୁ ଆଗାମୀ ୨୪ ତାରିଖରେ ପରବର୍ତୀ ଶୁଣାଣିବେଳେ ଗୋପାଳ ସୁବ୍ରମଣ୍ୟମ ଏନେଇ କୋର୍ଟଙ୍କୁ କଣ କହୁଛନ୍ତି ତାହା ଉକ୍ରଣ୍ଠା ବଢାଉଛି ।