ବ୍ୟବସାୟୀ ବନାମ ଅନଲାଇନ ବଜାର । ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ଦେଶର ୫ ହଜାର ବ୍ୟବସାୟ ସଂଗଠନର ବିରୋଧ । ଓଡିଶାର ୮ସହରର ବ୍ୟବସାୟୀ କରିବେ ପ୍ରତିବାଦ

ଆସନ୍ତା ୧୫ରେ ଭାରତ ଆସୁଛନ୍ତି ଅମାଜନ ମୁଖ୍ୟ

607

କନକ ବ୍ୟୁରୋ: ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ଆମେରିକାର ଇ-କମର୍ସ କମ୍ପାନୀ ଆମାଜନ ମୁଖ୍ୟ ଜେଫ ବେଜୋସ ଆସନ୍ତା ୧୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ସେ ଦିନ ଦେଶସାରା ବିରୋଧ ହେବ । ଦେଶର ୩ଶହଟି ସହର ମଧ୍ୟରୁ ରାଜ୍ୟର ୮ଟି ସହରରେ ବ୍ୟବସାୟୀମାନେ ପ୍ରତିବାଦ କରିବେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବାଲେଶ୍ୱର ଓ ଜୟପୁରରେ ବ୍ୟବସାୟୀମାନେ ଏହାର ବିରୋଧ କରିବେ ।

ଆମଜାନ ମୁଖ୍ୟକୁ ଭାରତ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ସେ କହିଛନ୍ତି, ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମାଜନ ଦେଶର ବ୍ୟବସାୟୀଙ୍କୁ ଶୋଷଣ କରିବାକୁ ଚାହୁଁଛି । ଆସନ୍ତା ୧୫ ତାରିଖରେ ଦେଶବ୍ୟାପୀ ପ୍ରତିବାଦରେ ୫ ହଜାରରୁ ଅଧ୍ଖଳ ବାଣିଜ୍ୟ ସଂଘ ସାମିଲ ହେବେ । ଆମାଜାନ ଓ ୱାଲମାର୍ଟ ମାଲିକାନାରେ ପରିଚାଳିତ ଫ୍ଲିପକାର୍ଟ ଭଳି କମ୍ପାନୀଙ୍କ ଆଧିପତ୍ୟ ଭାରତରେ ବଢିବାରେ ଲାଗିଛି ।

ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏହି କମ୍ପାନୀ ସ୍ୱତନ୍ତ୍ର ଅଫର ଦେଉଛନ୍ତି । ଫଳରେ ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀ ବ୍ୟବସାୟ ହରାଉଛନ୍ତି । ସାଧାରଣ ବ୍ୟବସାୟୀମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରିପାରୁନାହାନ୍ତି । ବାଣିଜ୍ୟ ସଂଘଗୁଡିକୁ ଅନଲାଇନ ରିଟେଲ ବ୍ୟବସାୟକୁ ବିରୋଧ କରୁନଥିଲେ ବି ଭାରତରେ ସେମାନେ ଆବଶ୍ୟକ ନିୟମ ପାଳନ କରିବାକୁ ଦାବି ହେଉଛି ।