ବିବାଦରେ ବିଧାୟକ

31

ଯାଜପୁର : ଚଣ୍ଡିଖୋଲ ଆର୍ଟିଓ ତଥା ଭୂତଗାଡ଼ି ମାମଲାରେ ନୂଆ ଟୁଇଷ୍ଟ୍ । ଘୋଟାଲାର ଦୁଇ ଖଳନାୟକଙ୍କ ସହ ବିଜେଡି ଲିଙ୍କ୍ ଅଭିଯୋଗ । ଶାସକ ଦଳର ଚାପରେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ଓ ଦିଲ୍ଲୀପ ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛି ଉଭୟ ବିଜେପି ଓ କଂଗ୍ରେସ ।

ଗୋଟିଏ ଫ୍ରେମରେ ବିଜେଡି ବିଧାୟକ ଅମର ଶତପଥୀ ଏବଂ ଚଣ୍ଡିଖୋଲ ଆର୍ଟିଓ ତଥା ଭୂତଗାଡ଼ି ମାମଲାର ଦୁଇ ଖଳନାୟକ ଥିବାକୁ ନେଇ ଏବେ ବଡ଼ଚଣା ଅଂଚଳରେ ଚର୍ଚ୍ଚା। ଫଟୋରେ ଭୂତ ଟ୍ୟାଙ୍କର ମାମଲାର ଦୁଇ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ଓ ଦିଲ୍ଲୀପ ନାୟକ, ବଡ଼ଚଣାର ବିଜେଡି ବିଧାୟକ ଅମର ଶତପଥୀଙ୍କୁ ଫୁଲତୋଡ଼ା ଦେଉଛନ୍ତି । ତେବେ ଚଣ୍ଡିଖୋଲ ଆର୍ଟିଓ ଅଫିସରେ କେଳେଙ୍କାରୀ ଘଟଣା ସାମ୍ନାକୁ ଆସିବା ପରେ ଏବେ ଫେରାର୍ ଅଛନ୍ତି ସୂର୍ଯ୍ୟକାନ୍ତ ଓ ଦିଲ୍ଲୀପ । ପୂର୍ବରୁ ବାଇକ୍ ଚୋରି ମାମଲାରେ ଜେଲ ବି ଯାଇସାରିଛନ୍ତି ସୂର୍ଯ୍ୟକାନ୍ତ । ଆଉ ଦିଲ୍ଲୀପ ହେଉଛନ୍ତି ସିହା ପଂଚାୟତର ସରପଂଚଙ୍କ ପୁଅ ।

ତେବେ ଏ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ପବ୍ଲିକ୍ ଲାଇଫରେ ବହୁ ଲୋକ ଏମିତି ଫୁଲତୋଡ଼ା ଦିଅନ୍ତି । ତେଣୁ ଏହାକୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ଏହି ଦୁଇ ଦଲାଲ୍ ଗାଡ଼ି ନଥାଇ ଜାଲ କାଗଜପତ୍ର ଜରିଆରେ ୨୭ଟି ଟ୍ୟାଙ୍କରର ରେଜିଷ୍ଟ୍ରେସନ୍ କରିବା ସହ ଆଇଓସିଏଲ୍ ଟେଣ୍ଡର ହାତେଇବାକୁ ଉଦ୍ୟମ କରିଥିଲେ । ଏନେଇ ଚଣ୍ଡିଖୋଲ ଆର୍ଟିଓ ବଡ଼ଚଣା ଥାନାରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ବର୍ତମାନ ସୁଦ୍ଧା ୧୩ଟି ଟ୍ୟାଙ୍କର ଜବତ ହୋଇଥିବା ବେଳେ ଆର୍ଟିଓ ଅଫିସରେ ଷ୍ଟେନୋ ଏବଂ ପୂର୍ବତନ ଜୁନିୟର ଏମ୍ଭିଆଇଙ୍କ ସମେତ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି । ହେଲେ ଏବେ ବି ଫେରାର୍ ଅଛନ୍ତି ଏହି ଗ୍ୟାଙ୍କର ମାଷ୍ଟର ମାଇଷ୍ଟ ସୂର୍ଯ୍ୟକାନ୍ତ ଓ ଦିଲ୍ଲୀପ ।