୫ ଦିନିଆ ସିବିଆଇ ରିମାଣ୍ଡରେ ଥିବା ପି. ଚିଦାମ୍ବରମଙ୍କ ଆଉ ଏକ ଅଗ୍ନିପରୀକ୍ଷା: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସେପଟେ, ଆଜିଠୁ ୨୬ ତାରିଖ ଯାଏଁ ସିବିଆଇ କରିବ ଜେରା

180

କନକ ବ୍ୟୁରୋ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଜିଠୁ ଜେରା କରିବ ସିବିଆଇ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗୁଡେଇ ତୁଡେଇ ପ୍ରଶ୍ନ କରିବେ ଜାତୀୟ ତଦନ୍ତକାରୀ ସଂସ୍ଥା । ୫ ଦିନିଆ ସିବିଆଇ ରିମାଣ୍ଡରେ ଯାଇଛନ୍ତି ପି. ଚିଦାମ୍ବରମ । ସିବିଆଇ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛି । ଅର୍ଥାତ ୨୬ ତାରିଖ ଅର୍ଥାତ୍ ସୋମବାର ପର୍ଯ୍ୟନ୍ତ ସିବିଆଇ କଷ୍ଟୋଡିରେ ରହିବେ ଚିଦାମ୍ବରମ । ଦୁଇ ଦିନର ଡ୍ରାମା ପରେ ଆଇଏନଏକ୍ସ ମଡିଆ ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ରାତିରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ । ଗତକାଲି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ସେ ମାମଲାରେ ସହଯୋଗ କରୁନଥିବାରୁ ଅଧିକ ପଚରାଉଚରା କରିବା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ସିବିଆଇ ।

ତେବେ ଏହାକୁ ବିରୋଧ କରିଥିଲେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି । ଏଫଆଇଆରରେ ତାଙ୍କ ନାଁ ଉଲ୍ଲେଖ ନଥିବା କୋର୍ଟଙ୍କୁ କହିବା ସହ ଜାମିନ୍ ଦେବା ଲାଗି ଯୁକ୍ତି ଦର୍ଶାଇଥିଲେ । କୌଣସି ଟଙ୍କା କାରବାରରେ ସେ ସଂପୃକ୍ତ ନଥିବା ଦର୍ଶାଇଥିଲେ ଚିଦାମ୍ବରମ । ଶୁଣାଣି ପରେ ଏସବୁ ଯୁକ୍ତିକୁ ଅଗ୍ରାହ୍ୟ କରି ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତା ସୋମବାର ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ ପୂର୍ବତନ ଅର୍ଥମନ୍ତ୍ରୀ । ଦିନକୁ ମାତ୍ର ୩୦ ମିନିଟ୍ ପାଇଁ ଚିଦାମ୍ବରମ, ତାଙ୍କ ପରିବାର ସଦସ୍ୟ ଓ ତାଙ୍କ ଓକିଲଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ ଚିଦାମ୍ବରମଙ୍କ ଜାମିନ ଆବେଦନ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି ।