ଆଉ ହେବନି ଡିଜେ ଡାନ୍ସ ? ଡିଜେ ଉପରେ ଲାଗିଲା କଟକଣା, ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍ ଦଣ୍ଡ ସହ ଦେବାକୁ ହେବ ୧ ଲକ୍ଷ ଟଙ୍କା ଜୋରିମାନା ।

28,938

ବିବାହ ଉତ୍ସବ ଠାରୁ ଆରମ୍ଭ କରି ପୂଜା ବଜାର, ସବୁଠି ଡିଜେ ବାଜିବା ଏକ ପରମ୍ପରା ସଦୃଶ ହୋଇଗଲାଣି । ଏହି ଡିଜେ ବାଜିବା ଦ୍ୱାରା ଶବ୍ଦ ପ୍ରଦୂଷଣ କେତେ ମାତ୍ରାରେ ବଢିଥାଏ, ତାହା ଆକଳନ କରିବା ବି ମୁସ୍କିଲ । ତେବେ ଶବ୍ଦ ପ୍ରଦୂଷଣକୁ ନେଇ ଆଲ୍ଲାହାବାଦ୍ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । ଡିଜେ ବଜାଇବା ନେଇ ଅନୁମତି ଦେବା ଉପରେ ଆଲ୍ଲାହାବାଦ ହାଇକୋର୍ଟ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ଆଉ ଆଦେଶର ଉଲ୍ଲଂଘନ କରିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ହୋଇପାରେ । ଯଦି ଡିଜେ ବାଜୁଥିବାର ଅଭିଯୋଗ ଆସେ, ତେବେ ଉକ୍ତ ଅଂଚଳର ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।

ଏହି ଆଦେଶ ବିଚାରପତି ପିକେଏସ ବଘେଲ ଏବଂ ବିଚାରପତି ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ଶୁଣାଇଛନ୍ତି । ତେବେ ହାସିମପୁର ପ୍ରୟାଗରାଜ ନିବାସୀ ସୁଶୀଲ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଯାଚିତା ଉପରେ ଏହି ଶୁଣାଣି କରାଯାଇଛି । ଏହି ମାମଲାର ବିଚାର କରିବା ସମୟରେ କୋର୍ଟ କହିଛନ୍ତି, ଛୋଟ ପିଲା, ବୟସ୍କ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ଶବ୍ଦ ପ୍ରଦୂଷଣ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟିମ୍ ଗଠନ କରି ଶବ୍ଦ ପ୍ରଦୂଷଣ ଉପରେ କଡା ନଜର ରଖିବାକୁ ଏବଂ ଦୋଷୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି, ସମସ୍ତ ଧାର୍ମିକ ପର୍ବପର୍ବାଣୀ ଏବଂ ଉତ୍ସବ ପୂର୍ବରୁ ଜିଲ୍ଲାପାଳ ବୈଠକ ଡକାଇ ଏହି ଆଇନ୍ ପାଳନ ନେଇ ସମସ୍ତଙ୍କୁ ଅବଗତ କରାଇବେ । ଆଉ ଯଦି କେହି ଏହି ଆଇନର ଉଲ୍ଲଂଘନ କରେ, ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ । ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ଏଫଆଇଆର ଦାୟର କରାଯିବ । ତେବେ ଆଲ୍ଲହାବାଦ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ଅନେକଂଶରେ ସ୍ୱାଗତ କରାଯାଇଥିବା ବେଳେ ଆଗକୁ ଏହି ଆଇନ୍ କେତେ ମାତ୍ରାରେ ପାଳନ କରାଯାଉଛି ତାହା ଦେଖିବାକୁ ରହିଲା । ଏଠାରେ କହିରଖୁଛୁ, ଏହି ନିୟମ କେବଳ ଆଲ୍ଲାହାବାଦ ପାଇଁ ହିଁ ଲାଗୁ ହେବ । ଅନ୍ୟ ରାଜ୍ୟ ଗୁଡିକରେ ଏନେଇ କୌଣସି ନିଷ୍ପତି ନିଆଯାଇନାହିଁ ।