କନକ ବ୍ୟୁରୋ : ଏଣିକି ସମସ୍ତ ସରକାରୀ ବିଦ୍ୟାଳୟର ନାମ ଏକାଭଳି ଲେଖାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖା ହେବ। ଏହାର ରଙ୍ଗ ଗୋଟିଏ ପ୍ରକାର ଓ ବଡ଼ ଅକ୍ଷରରେ ଲେଖାଯିବ। ଓଡ଼ିଆରେ ଲେଖାଯିବା ପରେ ତଳ ଧାଡ଼ିରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷାରେ ବିଦ୍ୟାଳୟ ନାମ ତୁଳନାତ୍ମକ ଭାବେ ଛୋଟ ଅକ୍ଷରରେ ଲେଖାଯାଇପାରେ। ଲେଖାର ପ୍ରଚ୍ଛଦପଟ୍ଟ ଟେରାକୋଟା ରଙ୍ଗର ହେବା ସହ ଅକ୍ଷରଗୁଡ଼ିକ ଧଳା ରଙ୍ଗରେ ଲେଖାଯିବ। ନାମଫଳକ ବିଦ୍ୟାଳୟ ଗୃହର ସମ୍ମୁଖ ଭାଗରେ ରହିବ।

Advertisment

publive-imageନାମଫଳକରେ ସରକାରୀ ବିଦ୍ୟାଳୟର ନାମ ଲେଖିବା ସହ କେତୋଟି ଶ୍ରେଣୀରେ ଶିକ୍ଷାଦାନ କରାଯାଉଛି, ବିଦ୍ୟାଳୟଟି କେବେ ପ୍ରତିଷ୍ଠା ହୋଇଛି ସେସମ୍ପର୍କରେ ଉଲ୍ଲେଖ ରହିବ। ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଏହାକୁ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସମେତ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ, ଓପେପା, ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଓଡିଶାରେ ବର୍ତ୍ତମାନ ସମୟରେ ଭାଷା ଆନ୍ଦୋଳନ ଜୋରଦାର କରାଯାଉଛି । ତେଣୁ ସରକାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ସମସ୍ତ ଅଫିସରେ ଫାଇଲପତ୍ର କାମ ଓଡିଆରେ କରାଯିବ ବୋଲି ସରକାର କହିଥିଲେ ।