ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ ହେବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର ହିତାଧିକାରୀ : ମିଳିବ ଲକ୍ଷେ ଟଙ୍କା ଯାଏଁ ଚିକିତ୍ସା ସୁବିଧା

ଆରଏସବିୱାଇ ବନ୍ଦ ହେବା ପରେ ରାଜ୍ୟ ସରକାରଙ୍କ ନିଷ୍ପତି

351

କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ୪୪ ହଜାର ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା-୨ରେ ସାମିଲ ହେବେ । ଆଜି ଏହି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଡିସେମ୍ବର ୩୧ ତାରିଖ ପରେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହେବା ପରେ ସଂପୃକ୍ତ ହିତାଧିକାରୀଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧିନରେ ୪୪ ହଜାର ହିତାଧିକାରୀ ୭୦ହଜାର ଯାଏଁ ଚିକିତ୍ସା ସୁବିଧା ପାଉଥିଲେ । ଏବେ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ ହେବା ପରେ ସେମାନଙ୍କୁ ଲକ୍ଷେ ଟଙ୍କା ଯାଏଁ ମାଗଣା ଚିକିତ୍ସା ସୁବିଧା ମିଳିବ ।
ଗତ ୨୦୧୮ ଅଗଷ୍ଟ ୧୫ରୁ ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ମୁଖ୍ୟତଃ ଦୁଇଟି ସୁବିଧା ଯୋଗାଇ ଦିଆଯାଉଛି । ଗୋଟିଏ ହେଲା, ସବୁ ସରକାରୀ ମେଡିକାଲରେ ଓଡିଶାର ସବୁ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ ।ଅନ୍ୟଟି ହେଲା, ବାର୍ଷିକ ସ୍ୱଳ୍ପ ରୋଜଗାର କରୁଥିବା ପରିବାରକୁ ୫ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇ ଦିଆଯିବ ।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି , ୨୦୧୮ ଅଗଷ୍ଟ ୧୫ରୁ ଏଯାଏଁ ୧ କୋଟି ୮୨ ଲକ୍ଷ ଥର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।  ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (RSBY) ରେ ମୋଟ୍ ୪୪ ଲକ୍ଷ ୮ ହଜାର ୭୦ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏମାନଙ୍କୁ ୩୦ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ଯାଏଁ ଚିକିତ୍ସା ସୁବିଧା ମିଳୁଥିଲା । ଏବେ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସୁବିଧା ପାଇପାରିବେ ।