କମ୍ ପଡୁଛି ଟଙ୍କା, ଆମ ପାଣ୍ଠି ବଢାଇଦିଅ ! ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେ ସମସ୍ତ ବିଧାୟକ

28

କନକ ବ୍ୟୁରୋ : ରାଜ୍ୟରେ ଲାଗୁ ହୋଇଛି ସମପ୍ତ ବେତନ କମିଶନ । ସରକାରୀ ଚାକିରିଆଙ୍କୁ ପୂଜା ଭେଟି ଦେଇଛନ୍ତି ନବୀନ ସରକାର । ଆଗକୁ ନିର୍ବାଚନ । ଆଉ ଏହି ସମୟରେ ବିଧାୟକ ଅନୁଦାନ ପାଣ୍ଠି ବଢାଇବାକୁ ସରକାରଙ୍କ ଉପରେ ପଡିଛି ଚାପ । ଦଳମତ ନିର୍ବିଶେଷରେ ଆଜି ସବୁ ବିଧାୟକ ଏକାଠି ହୋଇ ଅନୁଦାନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଛନ୍ତି ।

ସାଧାରଣ ଲୋକଙ୍କ ଭଳି ବିଧାୟକଙ୍କ କହିବା କଥା ହେଲା, ପରବର୍ତିତ ପରିସ୍ଥିତିରେ ସବୁ ଜିନିଷର ଦର ବଢିଛି । ତା ସହ ଲୋକଙ୍କର ସମସ୍ୟା ମଧ୍ୟ ବଢିଛି ।ତେଣୁ ସେସବୁକୁ ସମାଧାନ କରିବା ସମ୍ଭବପର ହେଉନାହିଁ । ଏପରିକି ବିଧାୟକ ପାଣ୍ଠିର ଟଙ୍କା ମଧ୍ୟ କମ ପଡୁଛି । ତେଣୁ ଏଭଳି ସ୍ଥିତିରେ ଅନୁଦାନ ପାଣ୍ଠି ବଢାଇବାକୁ ସବୁ ଦଳର ବିଧାୟକ ଦାବି କରିଛନ୍ତି । ବର୍ତମାନ ବିଧାୟକ ଅନୁଦାନ ପାଣ୍ଠି ୧ କୋଟି ରହିଛି । ଏହାକୁ ୨ କୋଟି କରିବାକୁ ବିଧାୟକ ଦାବି କରିଛନ୍ତି ।

ତେବେ ଦେଖିବାକୁ ବାକି ରହିଲା ନବୀନ କଣ ପାଣ୍ଠି ବଢାଇ ବିଧାୟକଙ୍କୁ ସନ୍ତୁଷ୍ଟ କରି ପାରିବେ ନା ବିଧାୟକଙ୍କ ଦାବିକୁ ଏମିତି ଝୁଲାଇ ରଖିବେ । ଯଦି ବା ଦାବି ପୂରଣ ହେଉଛି ତାହା ଲୋକଙ୍କ ହିତରେ ଲାଗିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।