ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ । ସରକାରୀ ବ୍ୟାଙ୍କର ମିଶ୍ରଣ ନିଷ୍ପତ୍ତି ପ୍ରତିବାଦରେ ଧର୍ମଘଟ ଡାକରା

ଏଆଇବିଇଏ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ଧର୍ମଘଟ

509

କନକ ବ୍ୟୁରୋ: ସରକାର ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଆଜି ସର୍ବଭାରତୀୟ ସ୍ତରରେ ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କର ମିଶ୍ରଣ ପ୍ରତିବାଦରେ ଦୁଇଟି ବ୍ୟାଙ୍କ କର୍ମଚାରୀ ସଂଘ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଧର୍ମଘଟ ଡାକରା ଦେଇଛନ୍ତି । କାଲି ଶ୍ରମ ମନ୍ତ୍ରଣାଳୟ ଓ ବ୍ୟାଙ୍କ ସଂଘ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ଏହି ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ ସମର୍ଥନ ଦେଇଛନ୍ତି ।

ଧର୍ମଘଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ସିଣ୍ଡିକେଟ ବ୍ୟାଙ୍କ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେହେତୁ ଧର୍ମଘଟ ଡାକରା ଦେଇଥିବା ୨ଟି ସଂଗଠନରେ ଅଧିକାଂଶ ଏସବିଆଇ କର୍ମଚାରୀ ନାହାନ୍ତି, ତେଣୁ ବ୍ୟାଙ୍କ କାମ ବିଶେଷ ପ୍ରଭାବିତ ହେବ ନାହିଁ । ବ୍ୟାଙ୍କ ବରୋଦା ପକ୍ଷରୁ କୁହାଯାଇଛି ଯେ କାରବାର ସ୍ୱଭାବିକ ରଖିବାକୁ ଉଦ୍ୟମ କରାଯିବ । ପୂର୍ବରୁ କେନ୍ଦ୍ର ସରକାର ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କ କରିବାକୁ ଘୋଷଣା କରିଛନ୍ତି । ମିଶ୍ରଣ ମାଧ୍ୟମରେ ସରକାର ୬ଟି ବ୍ୟାଙ୍କକୁ ବନ୍ଦ କରିବାକୁ ଚାହୁଁଥିବା ଅଭିଯୋଗ ହେଉଛି ।