ହାଇକୋର୍ଟ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୧୦୬ ବାର୍ ଆସୋସିଏସନ୍ ଦେଲେ ସମର୍ଥନ, ୨୧ ଯାଏଁ ଚାଲିବ ଆନ୍ଦୋଳନ ।

168

କନକ ବ୍ୟୁରୋ : ଆନ୍ଦୋଳନରେ ଅଟଳ ଆଇନଜୀବୀ । ହାଇକୋର୍ଟ ଫୁଲ ବେଞ୍ଚ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ ଆଦାଲତ ଅବମାନନା ନୋଟିସ କରିବା ପରେ ଏହାକୁ ଖାରଜ କରିବାକୁ ଦାବି କରିଛନ୍ତି ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ରାଜ୍ୟର ୧୦୬ଟି ବାର୍ ଆସୋସିଏସନ୍ ସମର୍ଥନ ଜଣାଇଛନ୍ତି ।

କୋର୍ଟ କାର୍ଯ୍ୟ ବର୍ଜନ କରି ଆନ୍ଦୋଳନକୁ ଓହ୍ଲାଇଥିବା ଆଇନଜୀବୀଙ୍କ ବିରୋଧରେ ହାଇକୋର୍ଟ ଫୁଲ ବେଂଚ୍ ଅଦାଲତ ଅବମାନନା ନୋଟିସ କରିବା ପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ରାଜ୍ୟର ୧୦୬ଟି ବାର୍ ଆସୋସିଏସନ୍ ହାଇକୋର୍ଟ ଆଇନୀଜୀବଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସଫା ସଫା କହିିଛନ୍ତି, ଅଦାଲତ ଅବମାନନା ମାମଲା ଖାରଜ ନହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ।

ଆଇନଜୀବୀଙ୍କ ଆନ୍ଦୋଳନକୁ କୋର୍ଟଙ୍କ ଅବମାନନା ଦର୍ଶାଇ ସାରା ଓଡିଶାର ବାର୍ ଆସୋସିଏସନ୍କୁ ଫୁଲ ବେଂଚ୍ ନୋଟିସ କରିଥିବା ବେଳେ ଆସନ୍ତା ୨୧ ତାରିଖ ଦିନ ଉତର ରଖିବାକୁ ନିର୍ଦେଶ ଦିଆଯାଇଛି । ତେବେ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ମାମଲାକୁ ସାମ୍ନା କରିବାକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ଅନେକ ବାର୍ ଆସୋସିଏସନର କର୍ମକର୍ତା ।

ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ । ତେବେ ଏହି ଆନ୍ଦୋଳନକୁ କୋର୍ଟଙ୍କ ଅବମାନନା କହି, ହାଇକୋର୍ଟ ଫୁଲ ବେଂଚ୍, ହାଇକୋର୍ଟ ବାର୍ ସମେତ ରାଜ୍ୟର ସମସ୍ତ ବାର୍ ଆସୋସିଏସନକୁ ନୋଟିସ କରିଛନ୍ତି । ଯାହାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏସବୁ ଭିତରେ ଶନିବାର ହାଇକୋର୍ଟ ବାରର ସାଧାରଣ ପରିଷଦ ବୈଠକ ବସିବ । ଯେଉଁଥିରେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତି ନିଆଯିବ ।