ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: କାଲି ଉପକୂଳରୁ ୫ କିମି ଦୂରତା ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ; ସେପଟେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚାଲିଛି ପ୍ରସ୍ତୁତି

409

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ଅମ୍ଫାନକୁ ନେଇ ସତର୍କ ରହିଛନ୍ତି ରାଜ୍ୟ ସରକାର । ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।

ସେପଟେ, ବାତ୍ୟାକୁ ନେଇ ପଂଚାୟତରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କିପରି ପ୍ରସ୍ତୁତି କରିଛନ୍ତି ନିଜେ ପଂଚାୟତିରାଜ ମନ୍ତ୍ରୀ ଉପସ୍ଥିତ ରହି ଏହାର ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ବିଜୁଳି ସେବା ବାଧାପ୍ରାପ୍ତ ହେଲେ ପିଇବା ପାଣି ପ୍ରକଳ୍ପ ସ୍ଥଳରେ ଜେନେରେଟର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ୭ ହଜାର ୬ ଶହ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଥିବା ମନ୍ତ୍ରୀ କହିଛନ୍ତି । ବାତ୍ୟା ଅମ୍ଫାନ ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ଉପରେ ଫୋକସ୍ ରଖିଛନ୍ତି । ସରକାର ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଭାବିତ ହେବାକୁ ଥିବା ୧୬ ସହରରେ ବିଜ୍ଞାପନ ହୋର୍ଡିଂ ଉଛେଦ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଅଛି ଓଡିଶା ଅଗ୍ନିଶମ ବିଭାଗ । ୩୩୮ଷ୍ଟେସନର ୫ ହଜାରରୁ ଅଧିକ ଅଗ୍ନିଶମ ଅଧିକାରୀ ଏଥିରେ ସାମିଲ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଯାଜପୁର ଓ ପୁରୀ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ଯନ୍ତ୍ରପାତି ପ୍ର୍ରସ୍ତୁତ ଅଛି । ତେବେ ବାତ୍ୟା ଅମ୍ପାନ ପାଇଁ ରେଡ଼ ଜୋନରେ ରହିଛି ବାଲେଶ୍ୱର । ଭଦ୍ରକ ଓ ବାଲେଶ୍ୱରରରେ ଅମ୍ପାନ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି । ଅମ୍ପାନର ପ୍ରସ୍ତୁତି ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ଅଭୟ । ବାଲେଶ୍ୱର ପରିଦର୍ଶନ କରି ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ଡ଼ିଜିପି । ପରିସ୍ଥିତିର ମୁକାବିଲା ନେଇ ଘଟଣା ସ୍ଥଳରେ ଓଡ୍ରାଫ, ଏନଡ଼ିଆରଏଫ ଟିମ୍ ପହଂଚିଛନ୍ତି । ଅଗ୍ନିଶମ ବିଭାଗ ମଧ୍ୟ ପରିସ୍ଥିତିର ମୁକାବିଲା ନେଇ ପ୍ରସ୍ତୁତ ରହିଛନ୍ତି ।