ରାଜନୀତି ପଶାପାଲିରେ ବଳି ପଡୁଛିି ନିରୀହ ଜୀବନ

22

କେନ୍ଦ୍ରାପଡା : ରାଜନୈତିକ ଚକ୍ରବ୍ୟୁହରେ ଗଡୁଛି ନେତାଙ୍କ ମୁଣ୍ଡ । ଶୀର୍ଷ ସ୍ଥାନୀୟ ନେତାଙ୍କ ରାଜନୈତିକ ଲଢେଇରେ ମୋହରା ସାଜି ପ୍ରାଣ ହରାଉଛନ୍ତି ତୃଣମୂଳ ନେତା । କେନ୍ଦ୍ରାପଡା ଆଳି ଅଂଚଳରେ ଗତ ଦୁଇ ବର୍ଷ ମଧ୍ୟରେ ଘଟିଲାଣି ୪ଟି ହତ୍ୟାକାଣ୍ଡ । ତେବେ ସିଙ୍ଗିରୀ ପଂଚାୟତ ସରପଂଚ ଚିତ୍ରସେନ ଦାସଙ୍କୁ ଆଜି ସକାଳୁ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଘଟଣାପରେ ସ୍ଥାନୀୟ ବିଜେଡି ସମର୍ଥକ ରାସ୍ତା ରୋକ୍ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୂର୍ବରୁ ଚିତ୍ରସେନଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସର ନିଷ୍କ୍ରିୟତା ତାଙ୍କ ମୃତ୍ୟୁର କାରଣ ବୋଲି ଗୁରୁତର ଅଭିଯୋଗ ହୋଇଛି । ଫଳରେ ମୃତ୍ୟୁ ପରେ ଆଳି ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

କାହା ଇଙ୍ଗିତରେ ଘଟୁଛି ହତ୍ୟାକାଣ୍ଡ । ଯାହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଳିର ପୂର୍ବତନ ବିଧାୟକ କହିଛନ୍ତି, ହତ୍ୟା ପଛରେ କାହାର ସବୁ ହାତ ଥାଇପାରେ ତାହା ଆଳି ବାସିନ୍ଦା ଜାଣିଛନ୍ତି । ଅନ୍ୟପଟେ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା । ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବିରେ ହୋଇଥିଲା ରାସ୍ତା ଅବରୋଧ । ଆଳି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦୀର୍ଘ ସମୟ ରାଜରାସ୍ତା ବନ୍ଦ କରିଥିଲେ ସ୍ଥାନୀୟ ଲୋକେ । ଏହାରି ଭିତରେ କେନ୍ଦ୍ରାପଡା ଏସପି, ଆଇଆଇସିଙ୍କୁ ବଦଳି କରିଥିବା ବେଳେ ୭୨ ଘଂଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।