ଘରୁ ବାହାରିଲେ ବଜ୍ରପାତ ବିପଦ ! ୮ଟି ଜିଲ୍ଲା ପାଇଁ ୪ ଘଣ୍ଟିଆ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

29

କନକ ବ୍ୟୁରୋ : ପୁଣି ବଜ୍ରପାତ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୨ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଓଡ଼ିଶାର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସତର୍କ ସୂଚନା ଜାରି କିରିଛି ପାଣିପାଗ କାର୍ଯ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଓ ରାୟଗଡ଼ା । ନିମ୍ନ ଲିଖିତ ଜିଲ୍ଲାର ଲୋକେ ଆଖପାଖର କୋଠାଘରେ କିଂବା ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଉପଦେଶ ଦିଆଯାଇଛି।

ଗତକାଲି ୬ଟି ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଗଜପତି ପାଇଁ ଏହି ଆଲର୍ଟ ଜାରି କରାଯାଇଥିଲା । ଗତ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇସାରିଛି ।

ବର୍ଷକୁ ବର୍ଷ ରାଜ୍ୟରେ ବଢ଼ୁଥିବା ବଜ୍ରାଘାତ ଜନିତ ମୃତ୍ୟୁକୁ ରୋକିବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ବଜ୍ରପାତର କାରଣ ଓ ନିରାକରଣ ପାଇଁ ସରକାର ଖୁବ୍ ଶୀଘ୍ର ଗଠନ କରିବାକୁ ଯାଉଛନ୍ତି ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ଏହି ଟିମ୍ ବ୍ରଜପାତ ମୃତ୍ୟୁର ରୋକିବାର ବାଟ ଖୋଜିବ ।

ବନ୍ୟା, ବତ୍ୟା, ବର୍ଷା ଓ ଅଗ୍ନିକାଣ୍ଡକୁ ବଳି ଯାଇଛି ବଜ୍ରପାତ । ବଜ୍ରପାତ ଏବେ ସବୁଠୁ ବଡ ବିପର୍ଯ୍ୟୟ ଭାବରେ ଉଭା ହୋଇଛି । ଆଉ ଏହାର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । କାରଣ ଖୋଜିବାକୁ ଗଠନ ହେବ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ଯେଉଁ ଦଳରେ ରହିବେ ଆଇଆଇଟିର ବିଶେଷଜ୍ଞ, ବୈଜ୍ଞାନିକ, ପାଣିପାଗ ବିଭାଗର ଅଧିକାରୀ ଏବଂ ଓୟୁଏଟିର କୁଳପତି । ଏହି ଟିମର ଲକ୍ଷ୍ୟ ରହିବ- ବଜ୍ରପାତର କାରଣ ଖୋଜିବା ଏବଂ ସମାଧାନର ବାଟ ବାହାର କରିବା ।

ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ଢ଼େର ଅଧିକ । ବିଶେଷ କରି ମେ’ ମାସରୁ ଅଗଷ୍ଟ ମାସ ଭିତରେ ଏହାର ମାତ୍ରା ଅଧିକ । ଆଉ ବଜ୍ରପାତର କିଛି ପ୍ରମୁଖ କାରଣ ହେଲା- – ମୌସୁମୀର ପ୍ରଭାବ । କାଳ ବୈଶାଖୀର ପ୍ରଭାବ । ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ସୃଷ୍ଟି ହେବା ।

ବଜ୍ରପାତରେ ପ୍ରତିବର୍ଷ ଦେଶରେ ଯାଉଛି ପ୍ରାୟ ୨ହଜାର ଲୋକଙ୍କ ଜୀବନ । ଆଉ ଏହି ସଂଖ୍ୟା ଓଡ଼ିଶାରେ ବର୍ଷକୁ ୪ଶହ ବି ଟପିଛି । ଚଳିତବର୍ଷ ଓଡ଼ିଶା ଏପ୍ରିଲରୁ ଏବେ ସୁଦ୍ଧା ୨୫୮ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୪ବର୍ଷର ହିସାବ କହୁଛି-ଓଡ଼ିଶାରେ ପ୍ରାୟ ୧୬ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଆଉ ଏସବୁ ଭିତରେ ଲୋକଙ୍କ ପାଇଁ ବଡ ଆହ୍ୱାନ ହୋଇଛି ସଚେତନତା । ଏଯେଉଁ ଟିମ୍ ଗଠନ ହେବ, ତାର ନିଷ୍କର୍ସ ଯାହା ଆସୁ, ଲୋକଙ୍କ ପାଇଁ ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ସଚେତନତା ହିଁ ବର୍ତମାନ ପାଇଁ ବଡ଼ ଅସ୍ତ୍ର ।