ବାୟୁ ପ୍ରଦୂଷଣକୁ ନେଇ ଆସିଲା ବଡ ରିପୋର୍ଟ । ଓଡ଼ିଶାର ବେଲପାହାଡ ଓ ତାଳଚେର ପବନରେ ବିଷ!

1,073

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ତାଳ‌ଚେର ଓ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହର‌ରେ ପବନ ବିଷାକ୍ତ ହୋଇଗଲାଣି। ଦେଖାଯାଉ ନ ଥିଲେ ମଧ୍ୟ ମଣିଷ, ଜୀବଜନ୍ତୁ, ବୃକ୍ଷଲତାଙ୍କ ପାଇଁ ବିପଦ ସୃଷ୍ଟି କରିଛି ଏଠାକାର ବାୟୁ। ସୁଇଜରଲାଣ୍ଡସ୍ଥିତ ଆଇକ୍ୟୁଏୟାର(ଇଣ୍ଟରନ୍ୟାସନାଲ କ୍ବାଲିଟି ଏୟାର) ସଙ୍ଗଠନ ପକ୍ଷରୁ ୨୦୧୯ ମସିହା ପାଇଁ ବିଶ୍ୱର ୯୮ଟି ଦେଶର ବିଭିନ୍ନ ସହରର ବାୟୁ ପ୍ରଦୂଷଣର ମାତ୍ରାକୁ ନେଇ ସର୍ଭେ କରାଯିବା ପରେ ଏଭଳି ଚିନ୍ତା ଉଦ୍ରେକକାରୀ ରିପୋର୍ଟ ପ୍ରକାଶ ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସର୍ବାଧିକ ପ୍ରଦୂଷିତ ଦେଶଗୁଡ଼ିକ ମଧ୍ୟରେ ବାଂଲାଦେଶ ସବୁଠାରୁ ଆଗରେ ଥିବାବେଳେ ପାକିସ୍ତାନ ଦ୍ୱିତୀୟ ଓ ଭାରତ ୫ମ ସ୍ଥାନରେ ରହିଛି। ବିଶ୍ୱର ୩୧ଟି ପ୍ରଦୂଷିତ ପ୍ରମୁଖ ସହର ମଧ୍ୟରୁ ୨୨ଟି ଭାରତରେ ରହିଛି। ଉତ୍ତରପ୍ରଦେଶର ଗାଜିଆବାଦ ବିଶ୍ୱର ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ଦିଲ୍ଲୀ ପଞ୍ଚମ ଓ ନୋଏଡା ଷଷ୍ଠ ସ୍ଥାନରେ ରହିଥିବା ବେଳେ କଲିକତା ୬୧, ମୁମ୍ବାଇ ୧୬୯ତମ ସ୍ଥାନରେ ରହିଛି। ଯଦି ଭାରତର ସହରଗୁଡ଼ିକୁ ବିଚାରକୁ ନିଆଯାଏ, ତେବେ ଗାଜିଆବାଦ ଦେଶର ସର୍ବାଧିକ ବିଷାକ୍ତ ସହର ପାଲଟିଛି। ଏହା ତଳକୁ ଦିଲ୍ଲୀ ଦୁଇ ନମ୍ବର ସ୍ଥାନରେ ଥିବା ବେଳେ ନୋଇଡା ୩, ଗୁଡ଼ଗାଓଁ ଚାରି ନମ୍ବର ସ୍ଥାନରେ ରହିଛି।

ଓଡ଼ିଶାର ସହରଗୁଡ଼ିକ ବି ଏହି ତାଲିକାରୁ ବା‌ଦ୍‌ ପଡ଼ିନି। ଅନୁଗୁଳ ଜିଲ୍ଲାର ତାଲଚେର ଓ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହର ୨୦୧୯ରେ ରାଜ୍ୟର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ତାଲିକାରେ ସ୍ଥାନ ପାଇଛି। ଦେଶର ୯୦ଟି ବାୟୁ ପ୍ରଦୂଷିତ ସହର ମଧ୍ୟରୁ ବେଲପାହାଡ଼ ୩୯ତମ ସ୍ଥାନରେ ଥିବା ବେଳେ ତାଳଚେର ୭୦ତମ ସ୍ଥାନରେ ରହିଛି। ପ୍ରଦୂଷଣର ମାତ୍ରା ହିସାବ କଲା ବେଳେ ବାୟୁରେ ଥିବା ପିଏମ୍-୨.୫କୁ ବିଚାରକୁ ନିଆଯାଇଛି। ପିଏମ୍‌-୨.୫ ବର୍ଗରେ ଅତି କ୍ଷୁଦ୍ର ଭାଷମାନ ଧୂଳିକଣା ରହିଥାଏ, ଯାହାର ବ୍ୟାସ ୨.୫ ମାଇକ୍ରୋମିଟରଠାରୁ କମ୍‌। ଏହା ଏତେ କ୍ଷୁଦ୍ର ଯେ ଆଖିକୁ ଦେଖାଯାଏ ନାହିଁ। ବାୟୁରେ ଅଧିକ ସମୟ ଭାସମାନ ରୁହେ ଏବଂ ନାକ, ଗ‌ଳା ଦେଇ ଫୁସ୍‌ଫୁସ୍‌ ଓ ରକ୍ତରେ ପହଞ୍ଚିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ୱରେ ଯେତିକି ମୃତ୍ୟୁ ଓ ରୋଗ ହେଉଛି ସେଥିମଧ୍ୟରୁ ୨୯ ଭାଗ ବାୟୁ ପ୍ରଦୂଷଣ ଜନିତ ଫୁସଫୁସ୍‌ କର୍କଟ ହୋଇଥାଏ। ୪୩ ପ୍ରତିଶତ ରକ୍ତ ସଞ୍ଚାଳନ ଜନିତ ରୋଗ ହୋଇଥାଏ। ସଙ୍ଗଠନର ଗାଇଡଲାଇନ୍‌ ଅନୁଯାୟୀ ପ୍ରତି ଘନ ମିଟର ବାୟୁରେ ପିଏମ୍‌-୨.୫ର ମାତ୍ରା ୧୨ ମାଇକ୍ରୋଗ୍ରାମ୍‌ ଠାରୁ କମ୍‌ ରହିଲେ ସ୍ୱାସ୍ଥ୍ୟ ପ୍ରତି ନିରାପଦ। ତେବେ ଦେଖାଯାଇଛି ଯେ ୨୦୧୯ରେ ‌ବେଲପାହାଡ଼ରେ ବାର୍ଷିକ ହାରାହାରି ପିଏମ୍‌-୨.୫ର ମାତ୍ରା ୪୭.୬ ମାଇକ୍ରୋଗ୍ରାମ୍‌ ରହିଥିଲା। ଶୀତ ଦିନେ ଏହା ଆହୁରି ବୃଦ୍ଧି ପାଇ ଜାନୁଆରି ମାସରେ ୮୯.୭ରେ ପହଞ୍ଚିଥିଲା। ସେହିପରି ତାଳଚେରରେ ହାରାହାରି ମାତ୍ରା ୩୮.୪ ମାଇକ୍ରୋଗ୍ରାମ୍‌ ଥିବା ବେଳେ ଜାନୁଆରିରେ ପ୍ରତି ଘନ ମିଟର ପ୍ରତି ୮୮.୨ ମାଇକ୍ରୋଗ୍ରାମ୍‌ ରହିଥିଲା। ଏହାର ମାତ୍ରା ଅତ୍ୟଧିକ ରହିବା ଦ୍ବାରା ଲୋକଙ୍କ ଫୁସ୍‌ଫୁସ୍‌ ଓ ହୃତପିଣ୍ଡ ପାଇଁ କ୍ଷତିକାରକ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ତା‌ଳଚେରର ବାୟୁ ପ୍ରଦୂଷଣର ପ୍ରଥମ କାରଣ ହେଉଛି କୋଇଲା ଖଣି। ଏଥିସହ ତାପଜ ବିଦ୍ୟୁତ୍‌ କାରଖାନା, ଭାରିଯାନ ଚଳାଚଳ, ଆଲୁମିନିୟମ୍‌ ସ୍ମେଲ୍ଟର ପ୍ଲାଣ୍ଟ ଓ ଗଢ଼ିଉଠିଥିବା ଅନ୍ୟାନ୍ୟ ଶିଳ୍ପ ରହିଛି। ଏସବୁରୁ ନିର୍ଗତ ହେଉଥିବା ଫ୍ଲାଏ ଆସ୍‌, ଡଷ୍ଟ ବା ଧୂଳି, ଧୂଆଁ, ଗ୍ରିନ୍‌ ହାଉସ ଗ୍ୟାସ ଆଦି ସେହି ଅଞ୍ଚଳର ଜଳ, ଜମି, ଜଙ୍ଗଲ ଓ ବାୟୁ ପ୍ରଦୂଷିତ କରିଥିବା ନେଇ ବିଭିନ୍ନ ସମୟରେ ରିପୋର୍ଟ ଆସିଛି। ଏହାର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ, ଫସଲ ଓ ବୃକ୍ଷଲତା ଉପରେ ପଡ଼ିଛି। ଏବେ ସମୟ ଆସିଛି ଯେ ସେଠାରେ ପରିବେଶ ପରିଚାଳନା ଯୋଜନାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଯଥା ସମ୍ଭବ ସୌରଶକ୍ତିର ବହୁଳ ପ୍ରସାରଣ ହେବା ଦରକାର। ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ନିୟମିତ ପରିଚାଳନା କରିବା ସହ ଆଧୁନିକ ଇଲକ୍ଟ୍ରୋଟିକ୍‌ ପ୍ରକ୍ରିୟା ଦ୍ୱାରା ବାୟୁରୁ ଧୂଳି ଓ ଅନ୍ୟାନ୍ୟ ପ୍ରଦୂଷଣ କଣିକାକୁ ଅଲଗା କରିବା ଉପରେ ଚିନ୍ତା କରିବା ଉଚିତ। ୨୦୧୮ର ଗ୍ରିନ୍‌ ପିସ୍‌ ରିପୋର୍ଟ ଅନୁଯାୟୀ ଅନୁଗୁଳ ଓ ତାଳଚେରରେ ଅତ୍ୟଧିକ ନାଇଟ୍ରୋଜେନ୍‌ ଡାଇଅକ୍‌ସାଇଡ୍‌ ନିର୍ଗତ ହେଉଛି। ତେବେ ପ୍ରଦୂଷିତ ସହର ତାଲିକାରେ ଭୁବନେଶ୍ୱର ଓ କଟକ ସହର ନ ଥିବା ଆଶ୍ୱସ୍ତିର ବିଷୟ।

Comments are closed.