ବିମାନରେ ବଡ ଦେଉଳର ମିଛ ! ଶ୍ରୀମନ୍ଦିରରେ ଆମିଷ ଭୋଗକୁ ନେଇ ଆପତ୍ତିଜନକ ଲେଖା

66

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ ଆମିଷ ପ୍ରସାଦ । ନିରାମିଷ ସାଙ୍ଗକୁ ଆମିଷ ପ୍ରସାଦ ଆନନ୍ଦବଜାରରେ ପରସା ହୁଏ । ଏୟାର ଇଣ୍ଡିଆ ଦ୍ୱାରା ପ୍ରକାଶିତ ପତ୍ରିକାରେ ଏମିତି ଏକ ଲେଖାକୁ ନେଇ ଆଜି ଚହଲି ଯାଇଛି ସାରା ଓଡିଶା । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଏହା ଆଘାତ ଦେଇଛି ।

ବିଶ୍ୱବାସୀଙ୍କୁ ବିଶ୍ୱ ନିୟନ୍ତାଙ୍କ ସଂପର୍କରେ ବିକୃତ ତଥ୍ୟ । ଶ୍ରୀମନ୍ଦିରର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଅପପ୍ରଚାର । ମହାପ୍ରସାଦକୁ ନେଇ ମହା ଭୂଲ୍ । ଆଉ ଖବର ସାମ୍ନାକୁ ଆସିବା ପରେ ହୋଇଥିଲା ପ୍ରତିବାଦ । ଭାବାବେଗକୁ ଆଘାତ ହେବା ପରେ ଜଗନ୍ନାଥ ପ୍ରେମୀ ଓହ୍ଲାଇଥିଲେ ରାସ୍ତାକୁ ।

vlcsnap-2016-10-29-15h20m38s631ଏୟାର୍ ଇଣ୍ଡିଆର ଶୁଭଯାତ୍ରା ପତ୍ରିକାରେ ପ୍ରକାଶ ପାଇଛି ଯେ ‘ଡିଭୋସନ୍ କ୍ୟାନ୍ ବି ଡିଲିସିୟସ୍’ । ଏଥିରେ ଲେଖା ଯାଇଛି, କାଳିଆ ଠାକୁର ଆମିଷ ଖାଆନ୍ତି । ଆନନ୍ଦ ବଜାରରେ ପରଶା ଯାଏ ଆମିଷ ପ୍ରସାଦ । ପ୍ରତିଦିନ ୨୮୫ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ । ଏଥିପାଇଁ ଦୈନିକ ପ୍ରାୟ ୫୦୦ ରୋଷେୟା ଓ ୩୦୦ ସହାୟକ କାମ କରିଥାନ୍ତି । ଏମିତି ଏକ ସାଂଘାତିକ ଭୂଲ୍ ପାଇଁ ସମାଲୋଚନାକୁ ସାମ୍ନା କରିଛି ଏୟାର୍ ଇଣ୍ଡିଆ । ଏପରିକି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱହୀନତାକୁ ମଧ୍ୟ ପ୍ରଶ୍ନ କରାଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଭୂଲ୍ ଲେଖାକୁ ନେଇ ଆପତ୍ତି ଉଠାଇଛନ୍ତି । କେମିତି ଓ କିଭଳି ଏହି ଲେଖା ପ୍ରକାଶିତ ହେଲା । ଏନେଇ ଏୟାର୍ ଇଣ୍ଡିଆ କର୍ତ୍ତୃପକ୍ଷ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ଆଲୋଚନା କରାଯିବ । ତେବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଭୂଲ୍ ଲେଖା ପାଇଁ ଏୟାର୍ ଇଣ୍ଡିଆ କର୍ତ୍ତୃପକ୍ଷ ଉତ୍ତରଦାୟୀ ।

ସମୟ ବଦଳିଛି । ହେଲେ ଶ୍ରୀମନ୍ଦିରର ପୁରୁଣା ପରମ୍ପରା ଏବେ ବି ଅକ୍ଷତ ରହିଛି । କାରଣ ଏହା ସହ ଯୋଡି ହୋଇ ରହିଛି କୋଟି କୋଟି କାଳିଆ ପ୍ରେମୀଙ୍କ ଭାବାବେଗ । ଏଭଳି ସ୍ଥିତିରେ ପରମ୍ପରାକୁ ନବୁଝି ବିଭ୍ରାନ୍ତିକର ଲେଖା ପାଇଁ ଲେଖକଙ୍କୁ କାଠଗଡାରେ ଛିଡା କରିଛନ୍ତି ଓଡିଶାବାସୀ ।