ପଂଚାୟତ ନିର୍ବାଚନ ପୂର୍ବରୁ ସରକାର ବଖାଣିଲେ ସଫଳତାର ଗାଥା : ପ୍ରକାଶ କଲେ ‘ଆଇନା ୨୦୧୬’

81

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତାଙ୍କ ସଫଳତା ସଂପର୍କରେ ଏକ ପୁସ୍ତିକା ପ୍ରକାଶ କରିଛନ୍ତି । ପୁସ୍ତିକାର ନାଁ ହେଉଛି – “ଆଇନା’’ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁଇ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏଭଳି ଏକ ପୁସ୍ତିକା ପ୍ରକାଶ ପାଇଛି । ଏଥିରେ ସରକାରଙ୍କ ବିଭିନ୍ନ ବିଭାଗ ଜରିଆରେ ଲୋକଙ୍କ କଲ୍ୟାଣ ପାଇଁ କି ପ୍ରକାର କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନିଆଯାଇଛି ତାର ବିଶଦ ବିବରଣୀ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏହି ପସ୍ତିକାକୁ ଲୋକାର୍ପଣ କରିଛନ୍ତି । ଏହି ପୁସ୍ତିକା ସାଧାରଣ ଲୋକଙ୍କ ପାଇଁ ଖୁବ୍ ଉପାଦେୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁସ୍ତିକାରେ କୁହାଯାଇଛି ଯେ ସରକାର ରାଜ୍ୟର ୫୫ ଲକ୍ଷ କୃଷକ ପରିବାରକୁ ବିଜୁ କୃଷକ କାର୍ଡ ଯୋଗାଇ ଦେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେଇଛନ୍ତି ।

ସେହିଭଳି ଖରିଫ ଋତୁରେ ଚାଷୀମାନଙ୍କୁ ୬ ହଜାର କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯାଇଛି । ୩ ଲକ୍ଷ ୧୬ ହଜାର ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ରେସନ୍ କାର୍ଡ ବଂଟାଯାଇଛି । ସରକାର ୭ଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରାଉଛନ୍ତି । ହରିଶ୍ଚନ୍ଦ୍ର ଯୋଜନାରେ ୩୬ କୋଟି ଟଙ୍କା ବଂଟାଯାଇଛି । ବିଜୁ ସେତୁ ଯୋଜନାରେ ୪ ବର୍ଷରେ ୪୮୧ଟି ସେତୁ ନିର୍ମାଣ କରାଯାଇଛି ।

ବିଗତ ଦୁଇ ବର୍ଷରେ ୧୧ ଲକ୍ଷ ୫୦ ହଜାର ଘରକୁ ବିଜୁଳି ସଂଯୋଗ ଦିଆଯାଇଛି । ବିଜୁ ଗାଁ ଗାଡ଼ି ଯୋଜନାରେ ୫୦୧ଟି ବସ୍ ଚଳାଚଳ କରୁଛି । ୪ ହଜାରରୁ ଅଧିକ ଦୁଃସ୍ଥ କଳାକାରଙ୍କୁ ଭତ୍ତା ଦିଆଯାଇଛି । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରୂପେ ଗଢ଼ାଯାଉଛି । ଶିଳ୍ପର ବିକାଶ ପାଇଁ ୧୨ଟି ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା କରାଯାଇଛି । ସେପଟେ ଏହାକୁ ସମାଲୋଚନା କରିଛନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।