ଅଯୋଧ୍ୟା ରାୟ ଉପରେ ପୁନଃବିଚାର କରିବାକୁ ରିଭ୍ୟୁ ପିଟିସନ ଦାଖଲ କରିବ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ । କହିଲା, ମସଜିଦ୍ ପାଇଁ ବିକଳ୍ପ ୫ ଏକର ଜମି ଗ୍ରହଣୀୟ ନୁହେଁ ।

590

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ । ଅଯୋଧ୍ୟା ମାମଲାର ପୁନଃବିଚାର ପାଇଁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ କରାଯିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୟିଦ କାସିମ୍ ରସୁଲ ଆୟାସ । ମସଜିଦ୍ ନିର୍ମାଣ ପାଇଁ ଦିଆଯାଇଥିବା ବିକଳ୍ପ ୫ ଏକର ଜମି ଗ୍ରହଣୀୟ ନୁହେଁ ବୋଲି ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ କହିଛି । ଅନ୍ୟ କେଉଁଠି ବିକଳ୍ପ ସ୍ଥାନରେ ଜମି ପାଇଁ ବୋର୍ଡ ଅଦାଲତ ଯାଇନଥିଲା, ତେଣୁ ଯେଉଁ ସ୍ଥାନରେ ବାବ୍ରି ମସଜିଦ୍ ଥିଲା ସେହି ଜମି ଦରକାର ବୋଲି ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ କହିଛି ।

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ନେଇ ଆଜି ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ଏକ ବୈଠକ କରାଯାଇଥିଲା । ଆଉ ବୈଠକ ପରେ ଅଯୋଧ୍ୟା ରାୟର ପୁନଃବିଚାର ପାଇଁ ରିଭ୍ୟୁ ପିଟିସନ୍ ଦାୟର କରିବାକୁ ନିଷ୍ପତି ନିଆଯାଇଥିଲା । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଜମି ବ୍ୟତୀତ ମୁସଲିମ୍ ପକ୍ଷ୍ ମସଜିଦ୍ ପାଇଁ ଅନ୍ୟ କୌଣସି ବିକଳ୍ପ ଜମି ସ୍ୱୀକାର କରିବାର ପ୍ରଶ୍ନ ଉଠୁନାହିଁ । ଗତ ୯ ତାରିଖରେ ବିବାଦୀୟ ଅଯୋଧ୍ୟା ଜମି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା ।