ତାମିଲନାଡୁ ରାଜନୀତିରେ ବହିଲା ପରିବର୍ତ୍ତନର ପବନ ! ପନୀରସେଲଭମ୍ ରାଜ୍ୟର ନୂଆ ଉପମୁଖ୍ୟମନ୍ତ୍ରୀ , ଏକାଠି ହେଲେ ଦୁଇ ବିରୋଧୀ ଗୋଷ୍ଠୀ

31

କନକ ବ୍ୟୁରୋ : ପୁଣି ତାମିଲନାଡୁ ରାଜନୀତିରେ ବହିଲା ପରିବର୍ତ୍ତନର ପବନ । ଦୀର୍ଘଦିନ ଧରି ଚାଲିଥିବା ବିବାଦରେ ପଡିଲା ପୂର୍ଣ୍ଣଛେଦ । ଏକାଠି ହେଲେ ଦୁଇ ବିରୋଧୀ ଗୋଷ୍ଠୀ ଇପିଏସ୍ ଏବଂ ଓପିଏସ୍ । ଆଉ ‘ଗୋଟିଏ ମା’, ଗୋଟିଏ ପାର୍ଟି ଏବଂ ଗୋଟିଏ ପରିବାର ନାରା ଦେଇ ହାତ ମିଳାଇଲେ ପନୀରସେଲଭାମ୍ ଏବଂ ପାଲାନିସ୍ୱାମୀ  ।

ଏକାଠି ହୋଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ଗୋଷ୍ଠୀ । ଆଜି ବିଧିବଦ୍ଧ ଭାବରେ ମିଶିଛନ୍ତି ଏହି ଦୁଇ ବିରୋଧୀ ଦଳ । ଏବେ ଉପମୁଖ୍ୟମନ୍ତ୍ରୀଭାବେ ରାଜ୍ୟର ଭାର ସମ୍ଭାଳିବେ ପନୀରସେଲଭମ୍ । ତେବେ ରାଜ୍ୟର ଅର୍ଥବିଭାଗ ତାଙ୍କ ଅଧୀନରେ ରହିବ ବୋଲି ସୂଚନା ମିଳିଛି । ସେଲଭମଙ୍କ ଗୋଷ୍ଠୀର ଦାବି ପାଲାନିସ୍ୱାମୀ ମାନିନେବା ପରେ ଏହି ମିଶ୍ରଣ ଘଟିଛି । ଏହାପରେ ଏକ ୧୧ ଜଣିଆ ସଂଯୋଜକ କମିଟି ଦଳ ପରିଚାଳନା କରିବ ବୋଲି ଜଣାପଡିଛି ।

ଜୟଲଳିଥାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ବିବାଦ :
ଜୟଲଳିଥାଙ୍କ ମୃତ୍ୟୁ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସିଂହାସନକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ ଜୟଲଳିଥାଙ୍କ ବିଶ୍ୱସ୍ତ ପନୀରସେଲଭମ୍ ହୋଇଥିଲେ ନୂଆ ମୁଖ୍ୟମନ୍ତ୍ରୀ । କିନ୍ତୁ ପାର୍ଟିରେ ନିଜର ପ୍ରଭାବ ଦେଖାଇବା ସହ ପନୀରସେଲଭଙ୍କ ଇସ୍ତଫା ନେଇଥିଲେ ଶଶୀକଳା । କାରଣ ଶଶୀକଳାଙ୍କୁ ଗ୍ରାସ କରିଥିଲା ମୁଖ୍ୟମନ୍ତ୍ରୀ ପଦର ଲୋଭ । ତେବେ ପ୍ରାରମ୍ଭିକ ସ୍ତରରେ ପନୀରସେଲଭାମ୍ ପାର୍ଟିର ସ୍ୱାର୍ଥ ଏବଂ ଶଶୀକଳାଙ୍କ କଥା ମାନି ଇସ୍ତଫା ଦେଇଥିଲେ । କିନ୍ତୁ ପରେ ଚାପରେ ଇସ୍ତଫା ଦେଇଥିବା ଶଶୀକଳାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହା ପରେ ତାମିଲନାଡୁ ରାଜନୀତିରେ ଆରମ୍ଭ ହୋଇଥିଲା ହାଇଭୋଲଟେଜ୍ ଡ୍ରାମା । ଏପରିକି ପନୀରସେଲଭମଙ୍କ ସମର୍ଥନରେ ବାହାରିଥିବା ସଦ୍ୟସଙ୍କୁ ଦଳରୁ ବାହାର କରିଦେଇଥିଲେ ଶଶୀକଳା । ଦୁଇ ଭାଗ ହେଲା ଏଆଇଏଡିଏମକେ । ସଙ୍କଟରେ ପଡିଲା ତାମିଲନାଡୁ ରାଜନୀତି ।

ପନୀରସେଲଭମଙ୍କ ଛୁଟି କରି ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଗୋଟି ଚାଳନା କରିଥିଲେ ଶଶୀକଳା । କିନ୍ତୁ ତାଙ୍କର ଏହି ମନୋସ୍କାମନା ପୁରା ହୋଇପାରିଲା ନାହିଁ । ଆଉ ଶଶୀକଳାଙ୍କ ବିଜୟ ପଥରେ ବାଧକ ସାଜିଥିଲା ସୁପ୍ରିମକୋର୍ଟର ଗୋଟିଏ ନିଷ୍ପତି । ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ତାଙ୍କୁ ୪ ବର୍ଷ ପାଇଁ ଜେଲ୍ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଂହାସନରେ ବସିବାକୁ ସଜବାଜ ହୋଇଥିବା ଶଶିକଳା ଚାଲିଗଲେ ଜେଲର ଚାରିକାନ୍ଥ ଭିତରକୁ ।

ସୁପ୍ରିମକୋର୍ଟର ଏହି ନିଷ୍ପତି ପାଇଁ ଯଦିଓ ଶଶୀକଳା ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ କିନ୍ତୁ ଆରମ୍ଭ କରିଥିଲେ ନୂଆ ରଣନୀତି । ଆଉ ତାମିଲନାଡୁ ରାଜନୀତିରେ ପ୍ରବେଶ କରିଥିଲେ ତୃତୀୟ ପୁରୁଷ ଶଶୀକଳାଙ୍କ ଅନୁଗତ ପାଲାମୀସ୍ୱାମୀ । ପାଲାମୀସ୍ୱାମୀଙ୍କୁ ଶଶୀକଳା ମୁଖ୍ୟମନ୍ତ୍ରୀ ପଦରେ ବସାଇ ପାର୍ଟିର ସର୍ବେ ସର୍ବା କରାଇଥିଲେ ନିଜ ଭଣଜା ଦିନାକରନଙ୍କୁ ।

ତାମିଲନାଡୁ ରାଜନୀତିରେ ବଡ ଧରଣର ଓଲଟପାଲଟ ହେବ, ଆଦୌ ଚର୍ଚ୍ଚାରେ ନଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଏକଥା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ କଥା ଛାଡନ୍ତୁ, ରାଜନୀତି ବିଶ୍ଲେଷକମାନେ ମଧ୍ୟ କଳ୍ପନା କରିନଥିଲେ । ରାଜନୈତିକ ପଶାପାଲିର ଚିତ୍ର କେମିତି ବଦଳିଗଲା । ଗୋଟି ଚାଳନାରେ ସିଦ୍ଧହସ୍ତ ରାଜନେତା କିପରି ଚିତ୍ ମାରିଲେ । ପ୍ରାୟ ୧୦ ଦିନ ଧରି ଚାଲିଥିବା ପାୱାର ପଲିଟିକ୍ସ ଡ୍ରାମା କିପରି ମାତ୍ର ୨ଦିନ ଭିତରେ ନିରବି ଗଲା । ଏହା ପରେ ହିଁ ସରଗରମ ହୋଇଥିଲା ତାମିଲନାଡୁ ରାଜନୀତି । ଏଆଇଏଡିଏମକେରେ ବାଜିଥିଲା ବିଦ୍ରୋହର ବିଗୁଲ୍ ।

ଏହାପରେ ୧୯ ଏପ୍ରିଲରେ ଦଳରୁ ବାଦ୍ ପଡିଥିଲେ ଶଶୀକଳା । ଚିନ୍ନାମାଙ୍କୁ ଦଳରୁ ବାହାର କରିବା ନେଇ ପାର୍ଟି ବୈଠକରେ ନିଷ୍ପତି ହୋଇଥିଲା । ଏପରିକି ଶଶୀକଳାଙ୍କ ପୁତୁରା ତଥା ଦଳର ନମ୍ବର ଟୁ ନେତା ଦିନାକରନଙ୍କୁ ବି ଦଳରୁ ବାହାର କରିଦିଆଯାଇଥିଲା । ଏବଂ ଦଳର ଦାୟିତ୍ୱ ରହିଲା କମିଟି ହାତରେ । ଆଡ-ହକ୍ କମିଟି ଦଳ ବାବଦରେ ସମସ୍ତ ନିଷ୍ପତି ନେବ ବୋଲି ସ୍ଥିର ହୋଇଥିଲା ।

ପୂର୍ବରୁ ଶଶିକଳା ଏବଂ ଦିନାକରନଙ୍କୁ ଦଳରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ନଚେତ୍ ଉଭୟଙ୍କୁ ଦଳରୁ ବାହାର କରାଯିବା ନେଇ ଚେତାବନୀ ଦିଆଯାଇଥିଲା । ତାମିଲନାଡୁ ରାଜନୀତିରେ ଏବେ ନୂଆ ମୋଡ ଦେଖିବାକୁ ମିଳିଥିଲା । ଦୁଇ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବୁଝାମଣା ନେଇ ଆଲୋଚନା ଚାଲିଥିଲା । ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ସହ ହାତ ମିଳାଇବା ସ୍ଥିତିରେ ବିଦ୍ରୋହୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ୍ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା । ଯାହା ଶେଷ ହୋଇଛି ଆଜିର ନିଷ୍ପତିରେ ।

ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା ଶଶୀକଳା ରାଜନୈତିକ କ୍ୟାରିୟର୍ :
ତାମିଲନାଡୁର ବହୁ ଚର୍ଚ୍ଚିତ ରାଜନୀତି । ଯାହାର ସଂପର୍କ ସିନେମା ଦୁନିଆ ସହିତ ରହିଛି ବହୁତ ନିକଟତର । ଆଉ ଆଜି ପୁଣି ଥରେ ସିନେମା କାହାଣୀ ପରି ନେଇଛି ନାଟକୀୟ ମୋଡ । ଏକାଠି ହୋଇଯାଇଛନ୍ତି ପାଲାନୀସ୍ୱାମୀ ଏବଂ ପନୀରସେଲଭମ୍ ଗୋଷ୍ଠୀ । ଅର୍ଥାତ୍ ଯେଉଁ ମୋଡରେ ଜୟଲଳିଥା ଛାଡିକି ଯାଇଥିଲେ ସେହିଠାରୁ ହିଁ ଆଗକୁ ବଢିବ ତାମିଲନାଡୁ ରାଜନୀତି । କିନ୍ତୁ ଏହାରି ଭିତରେ ଗୋଟିଏ ଚରିତ୍ର ରହିଯାଇଛି ଯାହାକୁ ସିନେମା କାହାଣୀ ପରି ରାଜ୍ୟ ରାଜନୀତିରୁ ସମ୍ଭବତଃ ବାହାର କରିଦିଆଯାଇଛି । ସେ ହେଉଛନ୍ତି ‘ ଶଶୀକଳା’ ।

୧୪ ଫେବ୍ରୁଆରୀ ୨୦୧୭ ଶଶୀକଳାଙ୍କ ପାଇଁ ସବୁଠାରୁ ଖରାପ ଦିନ ପ୍ରମାଣିତ ହୋଇଥିଲା । କାରଣ ଏହି ଦିନ ଶଶୀକଳାଙ୍କୁ ସୁପ୍ରିମକୋର୍ଟ ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ୪ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲା । ସିଂହାସନରେ ବସିବାକୁ ସଜବାଜ ହୋଇଥିବା ଶଶିକଳା ଚାଲିଗଲେ ଜେଲର ଚାରିକାନ୍ଥ ଭିତରକୁ । ଏହା ସହ ହିଁ ତାମିଲନାଡୁର ‘ଆମ୍ମା’ ଜୟଲଳିଥାଙ୍କ ପରେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ହେବାକୁ ଦେଖିଥିବା ସ୍ୱପ୍ନ ଆଗାମୀ ୧୦ ବର୍ଷ ପାଇଁ ଧୂଳିରେ ମିଶିଗଲା ।