ସ୍ୱାଇନ୍ ଫ୍ଲୁରେ ଆଉ ୩ ଆକ୍ରାନ୍ତ ଚିହ୍ନଟ

57

କନକ ବ୍ୟୁରୋ: ସ୍ୱାଇନ୍ ଫ୍ଲୁରେ ବର୍ତ୍ତମାନ କାହାର ମୃତ୍ୟୁ ହୋଇନଥିଲେ ହେଁ ଗତକାଲି ତିନି ଜଣଙ୍କର ନମୁନା ପଜିଟିଭ୍ ବାହାରିଛି । ରବିବାର ମୋଟ୍ ୬ଟି ସାମ୍ପୁଲ୍ ପରୀକ୍ଷା ହୋଇଥିବାବେଳେ ତିନି ଜଣଙ୍କର ପଜିଟିଭ୍ ବାହାରିଛି । ଏହି ତିନି ଜଣ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲିର ପଜିଟିଭ୍ ନମୁନା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୧ରେ ପହଞ୍ଚିଛି । ମୋଟ୍ ୧୨୦୧ଟି ସାମ୍ପୁଲ୍ ପରୀକ୍ଷା ହୋଇଛି ।

ଗତକାଲି ଯେଉଁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିରେ ଦୁଇ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି । ପୁରୁଷ ଆକ୍ରାନ୍ତଙ୍କ ବୟସ ୧୮ ଓ ୪୮ବର୍ଷ ହୋଇଥିବାବେଳେ ମହିଳାଙ୍କର ବୟସ ୬୦ବର୍ଷ । ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଖୋର୍ଦ୍ଧାର ହୋଇଥିବାବେଳେ ଜଣେ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ଗତକାଲି ସୁଦ୍ଧା ୪୭ଜଣଙ୍କର ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଘାତକ ସ୍ୱାଇନ-ଫ୍ଲୁ ୮ ତାରିଖ ଦିନ ପୁଣି ୨ଜଣଙ୍କ ଜୀବନ ନେଇଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୪୪ରେ ପହଁଚିଛି । ମୃତକ ଦୁଇ ଜଣ ରାଜଧାନୀର ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ଯାଂଚ କରାଯାଇଥିବା ୨୫ଟି ସ୍ୱାବ ମଧ୍ୟରୁ ୪ ଜଣଙ୍କ ରକ୍ତରେ ପୁଣି ଏଚୱାନଏନୱାନ୍ ପଜିଟିଭ୍ ଚିହ୍ନଟ କରାଯାଇଛି । ଏଥିରେ ୩ବର୍ଷର ଜଣେ ଶିଶୁ ରହିଛି ।

ତେବେ ୮ ତାରିଖ ଦିନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସରେ ଜଣେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ର ଜଣେ ଲେଖାଏଁ ରହିଛନ୍ତି । ଚଳିତବର୍ଷ ଏ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ୧୧୩୬ଟି ସ୍ୱାବ୍ ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ମୋଟରେ ଯାଂଚ କରାଯାଇଥିବା ୧୧୩୬ ନମୁନାରୁ ୩୬୫ଜଣଙ୍କ ରକ୍ତରେ ଏଚୱାନଏନୱାନ୍ ପଜିଟିଭ୍ ବାହାରିଛି ।

ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ସର୍ବାଧିକ ୧୪୪ଜଣ ସ୍ୱାଇନ୍-ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ସର୍ବାଧିକ ୯ଜଣଙ୍କର ପ୍ରାଣ ନେଇଛି ସ୍ୱାଇନ୍-ଫ୍ଲୁ । ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ସ୍ୱାଇନ୍-ଫ୍ଲୁ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ।