ସାଇକେଲରେ ସେକ୍ରେଟେରିଏଟ୍ । ମନ୍ତ୍ରୀ ହେଲେ, କିନ୍ତୁ ସାଇକେଲ୍ ଛାଡିଲେନି ।

161

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : କୋଟି ଓଡ଼ିଆ ପ୍ରାଣରେ ସ୍ପନ୍ଦନ ଭରି ଦେଇଥିବା ‘ବନ୍ଦେ ଉତ୍କଳ ଜନନୀ’ କବିତାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାରର ଓଡ଼ିଶାର ରାଜନୀତିକୁ ଅବଦାନ କିଛି କମ୍ ନୁହେଁ । ତାଙ୍କ ବାପା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ବିହାର ଓଡ଼ିଶା ବିଧାନ ପରିଷଦର ଉପସଭାପତି(ଆଜିର ଭାଷାରେ ଉପବାଚସ୍ପତି) । ତା’ଛଡ଼ା ତାଙ୍କର ବଡ଼ପୁଅ ନିତ୍ୟାନନ୍ଦ ମହାପାତ୍ର ଓଡ଼ିଶା ବିଧାନସଭାକୁ ତିନିଥର ନିର୍ବାଚିତ ହୋଇ ୧୯୬୭ରେ ରାଜ୍ୟ ସରକାରଙ୍କ ମନ୍ତ୍ରୀପଦରେ ମଧ୍ୟ ଥିଲେ । ସଂକ୍ଷେପରେ ସେ ନିଜର ନାମ ଲେଖୁଥିଲେ ନି.ମ. ।

‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେଟ୍ଟ’ କହି ଜଗନ୍ନାଥଙ୍କ ନିକଟରେ ନିଜର ଅଭିମାନ ଭରା ଅଭିଯୋଗ ବାଢ଼ିଥିବା କାନ୍ତକବିଙ୍କ ଉପରେ ମହାପ୍ରଭୁ କିନ୍ତୁ କରୁଣା ଊଣା କରି ନାହାନ୍ତି । ସେ ତାଙ୍କର କୋଳ ଭରି ଦେଇଛନ୍ତି ୧୯୧୨ ମସିହା ନବକଳେବର ରଥଯାତ୍ରା ଜୁଲାଇ ୧୭ ତାରିଖରେ ଏବଂ ଜନ୍ମ ନେଇଛନ୍ତି ନିତ୍ୟାନନ୍ଦ । ସ୍କୁଲପଢ଼ା ସମୟରେ ଗାନ୍ଧିଜୀଙ୍କ ଆହ୍ଵାନରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ୧୯୩୦ରୁ ୧୯୪୬ ମଧ୍ୟରେ ସେ ସାତ ଥର ଜେଲ୍ ଯାଇଛନ୍ତି ।

ପିଲାଟି ଦିନରୁ ସାରସ୍ୱତ ସାଧନାରେ ବ୍ରତୀ ଏବଂ କୁଳଗୁରୁ ଶ୍ରୀଶ୍ରୀ ରାମଦାସ ବାବାଜୀଙ୍କଦ୍ଵାରା ଦୀକ୍ଷିତ ନିତ୍ୟାନନ୍ଦ ଓଡ଼ିଶାର ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ ୧୯୫୨ ମସିହାରେ । ସ୍ୱାଧୀନତା ପରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ସେ ବାଲେଶ୍ବର ଲୋକସଭା (ଯୁଗ୍ମ) ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ । ତାଙ୍କ ସାମନାରେ ଥିଲେ କଂଗ୍ରେସର ଭାଗବତ ସାହୁ । ଏଥିରେ ଅର୍ଥାଭାବ ହିଁ ତାଙ୍କର ମୁଖ୍ୟ ବାଧକ ହୋଇଥିଲା । ନିତ୍ୟାନନ୍ଦଙ୍କର ଶହେ ବର୍ଷରେ ପଦାର୍ପଣ ଅବସରରେ ‘ଆମ ଓଡ଼ିଶା’ ଦ୍ଵାରା ପ୍ରକାଶିତ ‘ଶହେଟି ଶରତ’ ପୁସ୍ତିକାରେ ସନ୍ନିବେଶିତ ‘ମୋ କଥା’ ନିବନ୍ଧରେ ସେ କହିଛନ୍ତି, ‘‘ମୁଁ ସେ ନିର୍ବାଚନରେ ଲକ୍ଷେରୁ ଅଧିକ ଭୋଟରେ ହାରିଲି । ସାତଟା ନିର୍ବାଚନ ମଣ୍ଡଳୀକୁ ଯାଇପାରିଲି ନାହିଁ । ସାଇକେଲରେ ବା କେତେ ଆଉ ବୁଲାବୁଲି କରିପାରିଥାଆନ୍ତି ?’’

ତା’ପରେ ସେ ୧୯୫୭ରେ ଭଦ୍ରକ ବିଧାନସଭା ଆସନରୁ କଂଗ୍ରେସ ଦଳ ତରଫରୁ ପ୍ରତିଦ୍ଵନ୍ଦ୍ୱିତା କରିବାକୁ ଚାହିଁଥିଲେ । ମାତ୍ର ମୁସଲମାନ ଭୋଟରଙ୍କୁ ଲକ୍ଷ୍ୟରେ ରଖି କଂଗ୍ରେସ ଦଳ ତାଙ୍କ ବଦଳରେ ସେହି ଆସନରୁ ୧୯୫୨ରେ ନିର୍ବାଚନ  ଜିଣି  ଉପବାଚସ୍ପତି ପଦ ମଣ୍ଡନ କରିଥିବା ମହମ୍ମଦ ହନିଫଙ୍କୁ ପ୍ରାର୍ଥୀ କରିଥିଲା । ପ୍ରଧାନମନ୍ତ୍ରୀ ନେହେରୁ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭଦ୍ରକକୁ ନିର୍ବାଚନ ପ୍ରଚାରରେ ଆସିଥିଲେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ନିତ୍ୟାନନ୍ଦ ଆଶ୍ଚର୍ଯ୍ୟଜନକ ଭାବେ ହନିଫଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ଏହି ବର୍ଷ ବିଧାନସଭାକୁ ଆସିବା ପରେ ସେ ବାଚସ୍ପତି ପଦ ପାଇଁ ନୀଳକଂଠ ଦାସଙ୍କ ସହ ପ୍ରତିଦ୍ଵନ୍ଦ୍ୱିତା କରି ମାତ୍ର ୧୩ଟି ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ।

ଭଦ୍ରକ ଆସନରେ ନିତ୍ୟାନନ୍ଦଙ୍କର ଜନପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥାଏ । ୧୯୫୭ରେ ସେ ହନିଫଙ୍କୁ ୧୭୬୮ ଭୋଟରେ ହରାଇଥିବା ବେଳେ ୧୯୬୧ରେ ପୁଣି ଥରେ ସ୍ୱାଧୀନ ପ୍ରାର୍ଥୀ ରୂପେ ଲଢ଼ି  ହନିଫଙ୍କଠାରୁ ୪୦୦୦ରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ୧୯୬୭ରେ ସେ ଏହି ଆସନରୁ ଜନକଂଗ୍ରେସ ଦଳ ତରଫରୁ ଲଢ଼ିଥିଲେ । ଏଥର ତାଙ୍କ ବିରୋଧରେ ଥିଲେ କଂଗ୍ରେସ ଦଳର ରତ୍ନାକର ମହାନ୍ତି । କ୍ରମାଗତ ତୃତୀୟ ଥର ପାଇଁ ନିତ୍ୟାନନ୍ଦ ପୁଣି ବିଜୟୀ ହେଲେ ପାଖାପାଖି ୨୧୦୦୦ ଭୋଟ୍ ବ୍ୟବଧାନରେ । ଏଥର ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ଗଠିତ ସ୍ୱତନ୍ତ୍ର ଓ ଜନକଂଗ୍ରେସ ଦଳର ମିଳିତ ମନ୍ତ୍ରିମଣ୍ଡଳରେ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ବିଭାଗ ମନ୍ତ୍ରୀ ରୂପେ ସ୍ଥାନ ପାଇଲେ ।

ମନ୍ତ୍ରୀ ହେବା ପରେ ମଧ୍ୟ ନିତ୍ୟାନନ୍ଦ ତାଙ୍କର ଜୀବନଶୈଳୀ ବଦଳାଇ ନ ଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକ ‘ଶହେଟି ଶରତ’ରେ ଲେଖିଛନ୍ତି, ‘‘ନିତ୍ୟାନନ୍ଦ ବାବୁ ଓଡ଼ିଶାର ପ୍ରଥମ ମନ୍ତ୍ରୀ, ଯେ ସାଇକେଲ୍ ଚଢ଼ି ସେକ୍ରେଟେରିଏଟ୍ ଯାଉଥିଲେ । ତାହା ହିଁ ଥିଲା ତାଙ୍କର ସରଳ, ନିରାଡ଼ମ୍ବର ଜୀବନର ପ୍ରତିଛବି ।’’ ଏଭଳି ଜଣେ ସରଳ ଓ ଆଦର୍ଶବାଦୀ ରାଜନେତାଙ୍କୁ ତତକାଳୀନ ରାଜନୈତିକ ପରିବେଶ ଯେ ବିବ୍ରତ କରିନଥିଲା ତାହା ନୁହେଁ । ଅନେକ ସମୟରେ ତାଙ୍କର ଆତ୍ମା ରାଜନୀତିର ପରିବେଶରେ ଆଦର୍ଶର ଅବକ୍ଷୟକୁ ଦେଖି ବିଳାପ କରିଉଠିଛି । ତାଙ୍କ ନିଜ ଭାଷାରେ ‘‘ମୋର ଦୀର୍ଘ ରାଜନୈତିକ ଜୀବନରେ ଏକଥା ହୃଦୟଙ୍ଗମ କରିଛି ଯେ ନିଷ୍ଠୁରତା ଓ କୂଟକପଟ ଏ ଦୁଇଟି ଗୁଣ ଯା’ଠି ନଥିବ ସେ ରାଜନୀତିରେ ସିଦ୍ଧି ଲାଭ କରିପାରିବନି । ଏଇଟା ମୋର ତିକ୍ତ ଅନୁଭୂତି ।’’ ନି.ମ.ଙ୍କର ଏହି ତିକ୍ତ ଅନୁଭୂତି ସତ୍ତ୍ବେ ତାଙ୍କ ଭଳି ଜଣେ ବ୍ୟକ୍ତି ଯେ ଏତେ ଦିନ ଧରି ଓଡ଼ିଶା ରାଜନୀତିରେ ଥିଲେ ତାହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

Comments are closed.