ଗୋଟିଏ ଘୋଷଣାରେ ବଦଳିଗଲା ଜମ୍ମୁ-କାଶ୍ମୀରର ଇତିହାସ । ଏଣିକି ‘ତ୍ରିରଙ୍ଗା’କୁ ଅସମ୍ମାନ କଲେ ମିଳିବନି ତ୍ରାହି, ଜାଣନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ବଦଳିବ କଣ?

6,048

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହେଲା ଧାରା ୩୭୦ । ଦୀର୍ଘ ୭୦ ବର୍ଷ ପରେ ବଦଳିଲା ଜମ୍ମୁ-କାଶ୍ମୀରର ଇତିହାସ । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା ସହ କାଶ୍ମୀରକୁ ନେଇ ଗତ ୨ ସପ୍ତାହ ଧରି ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଜମ୍ମୁ-କାଶ୍ମୀରକୁ ଭାଗ କରି ଲଦାଖକୁ ଅଲଗା ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ମୋଦି ସରକାର । ସେହିଭଳି ଜମ୍ମୁ-କାଶ୍ମୀରକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗୃହରେ ଘୋଷଣା କରିଛନ୍ତି ଅମିତ ଶାହା । ଏହାସହ ଜମ୍ମୁ-କାଶ୍ମୀରର ଆଇନ ଶୃଙ୍ଖଳା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ହାତରେ ରହିବ । ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଥିବା କହିଛନ୍ତି ଅମିତ ଶାହା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଧାରା ୩୭୦ ପାଇଁ ଜମ୍ମୁ-କାଶ୍ମୀର ବାସୀ ଯେଉଁ ସୁବିଧା ପାଉଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ସରକାର ।

ଧାରା ୩୭୦ ହଟିବା ପରେ କଣ ହେବ ?

– ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ-କାଶ୍ମୀର, ଏହାସହ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇଲା

– ପୂର୍ବରୁ ଧାରା ୩୭୦ ଲାଗୁଥିଲା, ଏବେ ଧାରା ୩୭୦ର ଏକ ଅଂଶ ଲାଗୁ ହେବ ।

– ପୂର୍ବରୁ ଦୁଇଟି ନାଗରିକତା ମିଳୁଥିବା ବେଳେ ଏବେ କେବଳ ଭାରତର ନାଗରିକତା ମିଳିବ ।

– ପୂର୍ବରୁ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହୁଥିବା ବେଳେ ଏବେ ଜମ୍ମୁ-କାଶ୍ମୀରରେ କେବଳ ତ୍ରିରଙ୍ଗା ପତାକା ରହିବ । ଏପରିକି ତ୍ରିରଙ୍ଗାକୁ ଅପମାନ କଲେ ଆଉ ମିଳିବନି ତ୍ରାହି ।

– ପୂର୍ବରୁ ଏଠାରେ ରାଜ୍ୟପାଳ ଶାସନ ବ୍ୟବସ୍ଥା ରହିଥିବା ବେଳେ ଏବେ ଏଠାରେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ରହିବ ।

– ଅଳ୍ପସଂଖକଙ୍କ ପାଇଁ ସଂରକ୍ଷଣ ନଥିବା ବେଳେ ଏବେ ଅଳ୍ପସଂଖ୍ୟକଙ୍କୁ ମଧ୍ୟ ସଂରକ୍ଷଣ ମିଳିପାରିବ ।

– ପୂର୍ବରୁ ଏଠାକାର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ରହିଥିବା ବେଳେ ଏବେ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ-କାଶ୍ମୀରର ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ରହିବ

– ଧାରା ୩୭୦ ଅନୁଯାୟୀ, ପୂର୍ବରୁ ବାହାର ଲୋକ ସମ୍ପତି କ୍ରୟ କରିପାରୁନଥିବା ବେଳେ ଏବେ ଏହି ଧାରା ୩୭୦ର ଉଚ୍ଛେଦ ପରେ ବାହାର ଲୋକ ମଧ୍ୟ ସମ୍ପତି କିଣିପାରିବେ ।

– ପୂର୍ବରୁ ଏଠାରେ ଆରପିସି ଲାଗୁ ହେଉଥିବା ବେଳେ ଏବେ ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇପିସି ଲାଗୁ ହେବ ।

– ସବୁଠୁ ବଡ କଥା ହେଉଛି, ଧାରା ୩୭୦ ଉଚ୍ଛେଦ ହେବା ପରେ ଯେ କୌଣସି ଦଳ ସରକାରରେ ରହିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତା ଉପ-ରାଜ୍ୟପାଳଙ୍କ ନିକଟରେ ରହିବ ।

– ଧାରା ୩୭୦ ଉଚ୍ଛେଦ ପରେ ଏଠାରେ ଆରଟିଆଇ ନିୟମ ଲାଗୁ କରାଯାଇପାରିବ ।

– ଭାରତର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଏଠାରେ ଲାଗୁ ହେବ ।