ବିଚ୍ଛିନ୍ନାଞ୍ଚଳ ପାଇଁ ଯୋଡିବ ବିକାଶର ସେତୁ ! ବହୁ ଦିନର ଅପେକ୍ଷାର ଅନ୍ତ, ୧୫ ଦିନ ଭିତରେ ଗୁରୁପ୍ରିୟା ସେତୁ ଉପରେ ଗଡିବ ଗାଡି ।

89

କନକ ବ୍ୟୁରୋ : ଆଉ କିଛି ଦିନ ପରେ ଖୋଲିବ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ । ୫୦ ବର୍ଷ ପରେ ମାଲକାନଗିରିର ୩୦ ହଜାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ସଫଳ ହେବାକୁ ଯାଉଛି । ବହୁ ବାଧାବିଘ୍ନ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡୁଥବା ଜାନବାଇ ନଦୀ ଉପରେ ହୋଇଥିବା ଗୁରୁପ୍ରିୟା ସେତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିଜ ରାଜ୍ୟରେ ନିର୍ବାସନର ଜୀବନ ଜିଉଁଥିବା ଚିତ୍ରକୋଣ୍ଡାର ୧୫୧ଟି ଗାଁ ଲୋକ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଗୁରୁପ୍ରିୟା ହେବାକୁ ଯାଉଛି ଲାଲଗଡ଼ର ଲାଇଫ୍ଲାଇନ୍ ।

ରାଜ୍ୟରେ ନିର୍ମାଣ ହୋଇଥିବା ଅନ୍ୟ ସେତୁ ଠାରୁ ସବୁଠାରୁ ଅଲଗା ହେଉଛି ଗୁରୁପ୍ରିୟା ସେତୁ । କାରଣ, ମାଲକାନଗିରିର ବିଚ୍ଚିନ୍ନାଞ୍ଚଳ ଚିତ୍ରକୋଣ୍ଡାର ୧୫୧ଟି ଗାଁର ଏହା ହେଉଛି ଆଶା ଭରସାର ସେତୁ । ୧୯୬୦ ମସିହା ପ୍ରାରମ୍ଭରୁ ଅର୍ଥାତ ୫୦ ବର୍ଷରୁ ଅଧିକ ବର୍ଷ ଧରି ବାହ୍ୟଜଗତରୁ ଅଲଗା ରହିଥିବା ଲୋକଙ୍କ ଭାଗ୍ୟ ଭବିଷ୍ୟତର ସେତୁ । ୪ ବର୍ଷ ଧରି ଅନେକ ଘାତ ପ୍ରତିଘାତ ପରେ ଶେଷ ପର୍ଯ୍ୟାୟରେ ପହଁଚିଛି ଗୁରୁପ୍ରିୟା । ଆଉ ମାତ୍ର ଦିନ କେତେଟା ପରେ ଗୁରୁପ୍ରିୟାରେ ବିକାଶର ଗାଡ଼ି ଗଡିବ ।

ବାଲିମେଳା ଜଳଭଣ୍ଡାର ହେବା ପରଠାରୁ ନିଜ ରାଜ୍ୟରେ ନିର୍ବାସନର ଜୀବନ ଜିଉଁଛନ୍ତି ୮ଟି ପଂଚାୟତର ୩୦ ହଜାର ଲୋକ । ମୁଖ୍ୟ ଭୂଖଣ୍ଡକୁ ଆସିବା ଲାଗି ଡଙ୍ଗା ହେଉଛି ଏକମାତ୍ର ଭରସା । ପ୍ରଶାସନର ଆଢୁଆଳରେ ରହିଯିବା ପରେ ଗଢିଉଠିଛି ମାଓବାଦୀଙ୍କ ଲାଲ କରିଡର । ପ୍ରଶାସନିକ ଅବହେଳା ଓ ମାଓବାଦୀଙ୍କ ଜୁଲମ ଭିତରେ ଝୁଲିରହିଛି ଆଦିବାସୀ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଜୀବନ । ସେତୁ ଶେଷ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

ଗୁରୁପ୍ରିୟାର ଅତୀତ :

୩୬ ବର୍ଷ ତଳେ ପ୍ରଥମେ ଏହି ସେତୁ ପାଇଁ ଯୋଜନା ହୋଇଥିଲା
୨୦୦୫ରେ ପୁଣି ଥରେ ହୋଇଥିଲା ଟେଣ୍ଡର
ମାଓବାଦୀଙ୍କ ପୋଡ଼ାଜଳା ପରେ ଓହରି ଯାଇଥିଲେ ଠିକାଦାର
ମୋଟ ୬ ଥର ବାତିଲ ହୋଇଥିଲା ଟେଣ୍ଡର
୨୦୧୪ ମସିହାରେ ଠିକା ନେଲା କୋଲକାତାର ରୟାଲ ଇନଫ୍ରା
୯୧୦ ମିଟର ବ୍ରିଜ୍ ପାଇ ବଜେଟ୍ ଥିଲା ୧୭୨ କୋଟି ୫୮ ଲକ୍ଷ ଟଙ୍କା
୨୦୧୫ରେ ବିଏସଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ମାଓବାଦୀ
ନିର୍ମାଣ ସମୟରେ ପାଇଲ୍ ଓ ଗାର୍ଡର ମଧ୍ୟ ଭାଙ୍ଗି ଯାଇଥିଲା

ମାଓବାଦୀଙ୍କ ପ୍ରବଳ ପ୍ରତିବାଦ ଓ ଅନେକ ଘାତ ପ୍ରତିଘାତ ପରେ ସଫଳ ହେବାକୁ ଯାଉଛି ଏହି ବହୁ ପ୍ରତିକ୍ଷିତ ସେତୁ । କିଛି ଦିନ ପରେ ଘଣ୍ଟା ଘଣ୍ଟା ଧରି ଡଙ୍ଗାକୁ ଅପେକ୍ଷା ଓ ଗର୍ଭବତୀଙ୍କୁ ନଦୀ ପାର କରି ହସପିଟାଲ ନେବା ଭଳି ଦୁଃଖର ଅବସାନ ଘଟିବ ।