୯/୧୧  ଆକ୍ରମଣର ୧୮ ତମ ବାର୍ଷିକୀରେ ଥରିଉଠିଲା ଆଫଗାନିସ୍ତାନ ର କାବୁଲ୍ ସହର ! ଆମେରିକା ଦୂତାବାସ ପାଖରେ ଭୟଙ୍କର ବିସ୍ଫୋରଣ । 

586

ଆଫଗାନିସ୍ତାନର ରାଜଧାନୀ କାବୁଲ୍ ରେ ରାତି ଅଧରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଆମେରିକା ଦୂତାବାସ ପାଖରେ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୧ ସେପ୍ଟେମ୍ବର ଅର୍ଥାତ୍ ଆମେରିକାରେ ୨୦୦୧ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୮ ତମ ବାର୍ଷିକୀ । ତେବେ ଏହି ବିସ୍ଫୋରଣ ପଛରେ ଥିବା ରଣନୈତିକ ମହତ୍ତ୍ୱକୁ ଏହା ଇଙ୍ଗିତ କରୁଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ମୁତାବକ , ଏହି ବିସ୍ଫୋରଣ ପରେ କାବୁଲ ଆକାଶରେ ଧୂଆଁର ବେଲୁନ୍ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଚେତାବନୀ ମିଳିବା କ୍ଷଣି ଲୋକଙ୍କୁ ଆଲର୍ଟ କରାଗଲା । ରିପୋର୍ଟ ମୁତାବକ ,  ଏହା ଏକପ୍ରକାରର ରକେଟ୍ ବିସ୍ଫୋରଣ ଥିଲା ଯାହାକୁ ଆମେରିକା ଦୂତାବାସ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଏହି ବିସ୍ଫୋରଣରେ ଧନଜୀବନ ହାନିର ଖବର ମିଳିନାହିଁ । ଘଟଣାସ୍ଥଳର ଆଖପାଖରେ ଅନେକ ଦେଶର ଦୂତାବାସ ଥିବା ବେଳେ ଏତେ ଭିଆଇପି ସୁରକ୍ଷାସ୍ଥଳରେ ପହଞ୍ôଚ ବିସ୍ଫୋରଣ କରିବା ଅତ୍ୟନ୍ତ ଚିନ୍ତାଜନକ । ତେବେ ଏ ପର୍ଯ୍ୟନ୍ତ କୌଣସି ସଂଗଠନ ଏହି ବିସ୍ଫୋରଣରେ ସମ୍ପୃକ୍ତି ଥିବା କଥା କହିନାହାନ୍ତି ।

ଆପଣଙ୍କୁ କହିରଖୁଛୁ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବନ୍ଦ କରାଯାଇଥିବା ଆମେରିକା-ତାଲିବାନ୍ ଶାନ୍ତି ବାତ୍ତା ପରେ ଆଫଗାନିସ୍ତାନର ଆମେରିକା ପ୍ରତିଷ୍ଠାନ ଉପରକୁ ଏହା ପ୍ରଥମ ବଡ ଆକ୍ରମଣ । ଗତ ସପ୍ତାହରେ ହୋଇଥିବା ୨ ଟି କାର୍ ବିସ୍ଫୋରଣରେ କାବୁଲ୍ ଥରି ଉଠିଥିଲା । ଯେଉଁଥିରେ ଅନେକ ନାଗରିକ ଏବଂ ଜଣେ ଆମେରିକୀୟ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଶାନ୍ତି ବାର୍ତ୍ତା ରଦ୍ଦ କରିବାର କାରଣ ରାଷ୍ଟ୍ରପତି ଟ୍ରମ୍ପ ଏହା ହିଁ କହିଥିଲେ ।