କୋର୍ଟ ଭିତରେ କନେଷ୍ଟବଳଙ୍କୁ ମାଡ ! ଅସହାୟ ହୋଇ ହାତ ଯୋଡୁଥିଲେ, କିନ୍ତୁ ଶୁଣିବା ମୁଡରେ କେହି ନଥିଲେ

ସିସିଟିଭିରେ କଏଦ ହେଲା ଓକିଲଙ୍କ ଉଗ୍ରରୂପ । ସାମ୍ନାକୁ ଆସିଲା ହାଇକୋର୍ଟ ପରିସରରେ ହୋଇଥିବା ଗଣ୍ଡଗୋଳର ଚିତ୍ର 

547

କନକ ବ୍ୟୁରୋ : ଓକିଲଙ୍କୁ ହାତ ଯୋଡିଲା ଅସହାୟ ପୋଲିସ । ସୋମବାର ହାଇକୋର୍ଟ ପରିସର ପାଲଟିଥିଲା, ରଣକ୍ଷେତ୍ର । ହେଲେ ଆଜି ଆସିଛି ସେଦିନର ସେଇ ଗଣ୍ଡଗୋଳ ବେଳର ଚିତ୍ର  । କେମିତି ପୋଲିସକୁ ମାଡ ମାରିଛନ୍ତି ଓକିଲ । ଆଉ ପୋଲିସ ଜଣକ ହାତ ଯୋଡି ଛାଡିଦେବାକୁ କହୁଛନ୍ତି ।

lawyers-protestହାଇକୋର୍ଟ ଭିତରେ୍ ପୋଲିସକୁ ମାଡ । ଅସହାୟ ହୋଇ ହାତ ଯୋଡିଛନ୍ତି ପୋଲିସ କନେଷ୍ଟବଳ । ତଥାପି ମାଡରୁ ତ୍ରାହି ମିଳିନଥିଲା । ଏତିକିରେ ଓକିଲଙ୍କ ଜୁଲମ ଥମିନଥିଲା । ସାଧା ପୋଷାକରେ ଡିଉଟିରେ ଥିବା ସଂପୃକ୍ତ ପୋଲିସକୁ ଗୋଟିଏ ରୁମରେ ବନ୍ଦ କରି ରଖାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ନିର୍ଯାତନାର ଭିଡିଓ ଜାରି କରିଛି ପୋଲିସ ସଂଘ ।

ଆଜି ସାମ୍ବାଦିକ ସମ୍ମିଳନୀ କରି ଓଡିଶା ହାବିଲଦାର୍, କଷ୍ଟେବଳ ଓ ସିପାହୀ ମହାସଙ୍ଘ  ଗତ ୨୯ ତାରିଖରେ ହାଇକୋର୍ଟରେ ହୋଇଥିବା ପୋଲିସ-ଓକିଲ ମୁହାଁମୁହିଁ ଘଟଣା ଉପରେ ଏଭଳି ବୟାନ ରଖିଛି । ଏଥିସହ ହାଇକୋର୍ଟ ଭିତରେ ଘଟିଥିବା ସେଦିନର ଘଟଣାକୁ ନେଇ ସଂଘ ସିସିଟିଭି ଭିଡିଓ ମଧ୍ୟ ଜାରି କରିଛି । ସିସିଟିଭି ଫୁଟେଜ୍ ଜାରି କରି ସିପାହୀ ଓ ହାବିଲଦାର ମହାସଂଘ ଦାବି କରିଛି, ହାଇକୋର୍ଟ ଭିତରେ ସାଧା ପୋଷାକରେ ଥିବା ଜଣେ କନେଷ୍ଟବଳଙ୍କୁ ଠେଲାପେଲା କରିବା ସହ ଘୋଷାଡି ନେଇଥିଲେ କିଛି ଆଇନଜୀବୀ ।

ସଂଘର ସଭାପତି ସନ୍ତୋଷ କୁମାର ଶତାପଥୀ କହିଛନ୍ତି, ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ପାଇଁ ହାଇକୋର୍ଟ ରେଜିଷ୍ଟାର ପୋଲିସର ସହାୟତା ଲୋଡିଥିଲେ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ଦିଆଯାଇଥିଲା । ଆହୁରି ମଧ୍ୟ ବିଚାରପତି ଓ ଆଡଭୋକେଟ୍ ଜେନରାଲଙ୍କ ସୁରକ୍ଷା ପାଇଁ ୬ ଜଣ ସାଧା ପୋଷାକଧାରୀ ପୋଲିସ ଦିଆଯାଇଥିଲା । ତେବେ ଯେଉଁ ସାଧା ପୋଷାକଧାରୀ ପୋଲିସ ହାଇକୋର୍ଟ ଭିତରେ ବିଚାରପତି ଓ ଆଡଭୋକେଟ୍ ଜେନରାଲଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ସେମାନଙ୍କୁ ଓକିଲମାନେ ମାଡ ମାରିଥିଲେ ।

 ଏହାକୁ ନେଇ ୧୯ ଜଣ ଓକିଲଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯିବା ସହ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କୁ ଏଥିପାଇଁ ୪୮ ଘଂଟାର ମହଲତ ଦେଇଛି ସଂଘ । ଏହି ୪୮ ଘଂଟା ମଧ୍ୟରେ ଯଦି ସଂପୃକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ସଂଘ ତାର ବିକଳ୍ପ ରାସ୍ତା ଆପଣେଇବ ବୋଲି ଚେତାବନୀ ଦେଇଛି ସଂଘ ।