ଭାରତ ବାପା, ପାକିସ୍ତାନ ପୁଅ । ମୈଦାନରେ ମୁହାଁମୁହିଁ ହେବା ପୂର୍ବରୁ ସୋସିଆଲ ମିଡିଆରେ ବିଜ୍ଞାପନ ଯୁଦ୍ଧ

405

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ପଡ଼ିଆରେ ଦୁଇ ଦେଶ ମୁକାବିଲା କରିବା ପୂର୍ବରୁ ଏବେ ପରଦାରେ ଜୋରଧରିଛି ଲଢ଼େଇ । ଆଉ ଏହି ଲଢ଼େଇର ମାଧ୍ୟମ ପାଲଟିଛି ବିଜ୍ଞାପନ । ଯେଉଁଥିରେ ରାଷ୍ଟ୍ରବାଦ ଏବଂ ଭାବପ୍ରବଣତାକୁ ନେଇ ଚାଲିଛି ଯୁଦ୍ଧ । ପାକିସ୍ତାନର ବିଜ୍ଞାପନରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଟାର୍ଗେଟ୍ କରି ଭାରତକୁ ଅପମାନ କରିବାକୁ ଉଦ୍ୟମ ହୋଇଛି । ଯାହାର ଜବାବ୍ ଆକାରରେ ସାମ୍ନାକୁ ଆସିଛି ଭାରତୀୟ ବିଜ୍ଞାପନ । ଯେଉଁଥିରେ ଦର୍ଶାଯାଇଛି-ଭାରତକୁ ବାପା ଏବଂ ପାକିସ୍ତାନକୁ ପୁଅ ଭାବରେ ଉପସ୍ଥାପନ କରାଯାଇଛି ।

ପଡିଆରେ ମୁହାଁମୁହିଁ ହେବା ପୂର୍ବରୁ ପରଦାରେ ଆରମ୍ଭ ହୋଇଯାଇଛି ଲଢ଼େଇ । ବିଶ୍ୱକପ୍ କ୍ରିକେଟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ, ମଂଚେଷ୍ଟର ମୈଦାନକୁ ଓହ୍ଲାଇବା ଆଗରୁ ଏବେ ଦୁଇ ଦେଶରେ ବହୁଛି ଜାତୀୟତା ଏବଂ ଭାବପ୍ରବଣତାର ସ୍ରୋତ । ପରସ୍ପରକୁ ଅପମାନିତ କଲା ଭଳି ବିଜ୍ଞାପନ ଭିଡିଓ, ଏବେ କ୍ରିକେଟ୍ର ମାହୋଲକୁ ସରଗରମ କରିଛି ।

କ୍ରିକେଟର ଏହି ଲଢ଼େଇ ଭିତରେ ଅଚାନକ୍ ଧସେଇ ପଶି ଆସିଛି- ବାଲୋକୋର୍ଟ ଏୟାରଷ୍ଟ୍ରାଇକ୍ ଭଳି ପ୍ରସଙ୍ଗ ଏବଂ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଭଳି ଚରିତ୍ର । ପାକିସ୍ତାନୀ ବିଜ୍ଞାପନରେ ଭାରତକୁ ଅପମାନ କରିବା ପାଇଁ ଅଭିନନ୍ଦନଙ୍କୁ ମୋହରା ବନାଯାଇଛି । ଯାହାର ଜବାବ୍ ସେହି ବିଜ୍ଞାପନରେ ରଖିଛି ଭାରତ । ଯେଉଁ ଭାଷାରେ ପାକିସ୍ତାନ ବୁଝିବ ସେହି ଭାଷାର ଉପଯୋଗ କରିଛନ୍ତି ଭାରତର ବିଜ୍ଞାପନ କଂପାନୀ । ଏୟାର ଷ୍ଟାଇକର କଥା ମନେ ପକାଇ ଦେଇ, ପାକିସ୍ତାନର ପୋଡ଼ା ଘା’ରେ ଚୂନ ମାରିଛି ଏହି ବିଜ୍ଞାପନ ।

ବିଜ୍ଞାପନର ଏହି ଲଢ଼େଇର ଧାରା ଆଜିର ନୁହେଁ । ମୌକା-ମୌକା ନାଁରେ ପ୍ରତି ବିଶ୍ୱକପରେ ଏଭଳି କିଛି ଭିଡିଓ ଦେଖିବାକୁ ମିଳେ । କୌତୁହଳରୁ ଆରମ୍ଭ ହୋଇଥିବା ଏହି ବିଜ୍ଞାପନ ଏଥର ସୀମା ଟପିଯାଇଛି । ଆଉ ଏସବୁ ଭିତରେ ମଂଚେଷ୍ଟରରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ରେକର୍ଡ କହୁଛି- -ବିଶ୍ୱକପରେ ପାକ୍ ବିପକ୍ଷରେ ଭାରତର ପଲ୍ଲା ଭାରି

-ଭାରତ ବିପକ୍ଷରେ ବିଶ୍ୱକପରେ ଗୋଟିଏ ମ୍ୟାାଚ୍ ଜିତିପାରିନି ପାକିସ୍ତାନ
-ବିଶ୍ୱକପରେ ଖେଳାଯାଇଥିବା ୬ଟିରୁ ୬ଟି ମ୍ୟାଚ୍ ଜିତିଛି ଭାରତ
-ଅବଶ୍ୟ ୨୦-୨୦ ମ୍ୟାଚରେ ଗୋଟିଏ ମ୍ୟାଚ୍ ଜିତିବାରେ ସମର୍ଥ ହୋଇଛି ପାକିସ୍ତାନ
-ଟି-ଟ୍ୱେଂଟି ଫର୍ମାଟର ବିଶ୍ୱକପରେ ୭ଟି ମ୍ୟାଚ୍ରୁ ୬ଟିରେ ବାଜି ମାରିଛି ଭାରତ ।

ଆଉ ଏହି ରେକର୍ଡ ସହ ଆସନ୍ତାକାଲି ସାମ୍ନା ସାମ୍ନି ହେବେ ଭାରତ-ପାକିସ୍ତାନ । ପାକିସ୍ତାନ ବିପକ୍ଷରେ ଭାରତ ସପ୍ତମ ବିଜୟ ପାଇଁ ମୈଦାନକୁ ଓହ୍ଲାଇବ । ଅନ୍ୟପଟେ ଭାରତ ବିପକ୍ଷରେ ପରାଜୟ ଧାରାରେ ବ୍ରେକ ଲଗାଇବାକୁ ପୁଣିଥରେ ମାଞ୍ଚେଷ୍ଟର ମହାଲଢେଇକୁ ଓହ୍ଲାଇବ ପାକିସ୍ତାନ ।