ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସିଲା ଏଡିଆର ରିପୋର୍ଟ । ଜାଣନ୍ତୁ କେଉଁ ଦଳରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ ।

141

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ ଆଉ ସବୁଠୁ ଧନୀ ସାଂସଦ ପ୍ରାର୍ଥୀ ହେଉଛନ୍ତି ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । କଂଗ୍ରେସର ଭଣ୍ଡାରୀ ପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କର ରହିଛି ୬୦ କୋଟି ଟଙ୍କାର ସମ୍ପତି । ସେହିପରି କଂଗ୍ରେସର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ନବଜ୍ୟୋତିି ପଟ୍ଟନାୟକର ରହିଛି ୧୦୪ କୋଟି ଟଙ୍କାର ସମ୍ପତି ।

ଏଡିଆର ରିପୋର୍ଟ ଅନୁସାରେ ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ଆଗରେ ରହିଛନ୍ତି ପିସିସି ସଭାପତି ତଥା କଂଗ୍ରେସର ଭଣ୍ଡାରୀ ପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ତାଙ୍କର ସମ୍ପତି ହେଉଛି ୬୦ କୋଟି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜଗତସିଂହପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ । ତାଙ୍କର ସମ୍ପତି ହେଉଛି ୩୩ କୋଟି । ତୃତୀୟ ସ୍ଥାନରେ ରହିଛନ୍ତି ଧର୍ମଶାଳାର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତ ରାୟ । ତାଙ୍କର ସମ୍ପତି ହେଉଛି ୧୭ କୋଟି ।

ଧନୀ ଲୋକସଭା ପ୍ରାର୍ଥୀଙ୍କ ତାଲିକାରେ ଆଗରେ ରହିଛନ୍ତି, ବାଲେଶ୍ୱରରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ତାଙ୍କର ସମ୍ପତି ରହିଛି ୧୦୪ କୋଟି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବାଲେଶ୍ୱରରେ ବିଜେଡିର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା । ତାଙ୍କର ସମ୍ପତି ହେଉଛି ୭୨ କୋଟି । ତୃତୀୟ ସ୍ଥାନରେ ରହିଛନ୍ତି କେନ୍ଦ୍ରାପଡାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ତାଙ୍କ ସମ୍ପତି ହେଉଛି ୫୭ କୋଟି ।

ବିଧାନସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ୨୭ ଜଣ କୋଟିପତି ରହିଥିବା ବେଳେ କଂଗ୍ରେସରେ ୨୩ ଏବଂ ବିଜେପିରେ ଅଛନ୍ତି ୨୦ ଜଣ କୋଟିପତି । ସେହିପରି ଲୋକସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟ ମଧ୍ୟରେ ବିଜେଡିରେ ୬ରୁ ୬, , କଂଗ୍ରେସରେ ୫ରୁ ୪ ଏବଂ ବିଜେପିରେ ୩ରୁ ୩ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ମୋଟ ୧୨ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ଗୁରୁତର ଫୌଜଦାରୀ ମାମଲା । ସେହିପରି ବିଧାୟକ ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ମୋଟ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ଗୁରୁତର ଫୌଜଦାରୀ ମାମଲା ।