ସାବଧାନ! ମୋ ସରକାର ସବୁ ଦେଖୁଛି । କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ ସିଡିଏମଓଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର, ସରକାରୀ କର୍ମଚାରୀଙ୍କୁ କଡା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

936

କନକ ବ୍ୟୁରୋ : ‘ମୋ ସରକାର’ ଯୋଜନାକୁ ଅତି ଗୁରୁତର ସହ ଲାଗୁ କରୁଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା କଲେ ନିସ୍ତାର ନାହିଁ । ଆଜି ଏଭଳି ସନ୍ଦେଶ ଆସିଛି ସୁନ୍ଦରଗଡରୁ । ଫାଇଭ୍-ଟି ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଏନଆର୍ଏଚଏମ ନିର୍ଦ୍ଦେଶିକାଙ୍କ ଗସ୍ତବେଳେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ରୋଗୀମାନେ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ଆଜି ସିଡିଏମଓଙ୍କୁ ନିଲମ୍ବନ କରିଛନ୍ତି ଏବଂ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏପରିକି କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ସ୍ପଷ୍ଟ କରାଯାଇଛି । ବିଶେଷକରି ଥାନା ଓ ହସ୍ପିଟାଲରେ ଲୋକଙ୍କୁ ହଇରାଣ କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମଓ ପକ୍ଷରୁ କୁହାଯାଇଛି । ଗଣତନ୍ତ୍ରରେ ଲୋକମାନେ ପ୍ରକୃତ ମାଲିକ ତେଣୁ ଉଭୟ ବୃତ୍ତିଗତ  ଓ ନୀତିଗତ ଭାବେ ସରକାରୀ କଳ ଏ ଦିଗରେ କାମ କରିବ ।

 ‘ମୋ ସରକାର’ ଅଭିଯାନକୁ ରାଜ୍ୟ ସରକାର କେତେ ଗୁରୁତ୍ୱର ସହ ନେଉଛନ୍ତି ତା’ର ଏକ ବଡ ଉଦାହରଣ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରୁ ସାମ୍ନାକୁ ଆସିଛି । କାର୍ଯ୍ୟରେ ଅବହେଳା ଏବଂ ରୋଗୀଙ୍କୁ ହଇରାଣ କରିବା ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ତୁରନ୍ତ ସିଡିଏମଓଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏମିତି କି ରୋଗୀଙ୍କୁ କାହିଁକି ହସ୍ପିଟାଲରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେ ସଂପର୍କରେ ଜଣାଇବା ପାଇଁ ଜିଲ୍ଲାପାଳଙ୍କୁ ନୋଟିସ୍ କରାଯାଇଛି ।

ସୁନ୍ଦରଗଡ଼ର ଏହି କାର୍ଯ୍ୟାନୁଷ୍ଠନ ପରେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ଏକ ଟ୍ୱିଟ୍, ଯେଉଁଥିରେ ଲେଖାଯାଇଛି- ଥାନା ଓ ଡାକ୍ତରଖାନାରେ ଜନତାଙ୍କୁ ହଇରାଣ ଏବଂ କାର୍ଯ୍ୟରେ ଅବହେଳା ସାମ୍ନାକୁ ଆସିିଲେ ଏହି ଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଗଣତନ୍ତ୍ରରେ ଜନତା ମାଲିକ, ତେଣୁ ସରକାରୀ ବ୍ୟବସ୍ଥା ନୈତିକତା ଆଧାରରେ ଏବଂ ପେଶାଦାର ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ।

ଏହା ପୂର୍ବରୁ ଫାଇଭ-ଟି ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଏନଆରଏଚଏମ ନିର୍ଦେଶିକା ସୁନ୍ଦରଗଡ଼ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟସେବା ସଂପର୍କରେ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟଙ୍କୁ ପଚାରିବୁଝିଥିଲେ । ଆଉ ଏତିକି ବେଳେ ସାମ୍ନାକୁ ଆସିଥିଲା କିଛି ଏଭଳି ଅଭିଯୋଗ ।

-ଡାଇଲିସିସ୍ ପାଇଁ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଯିବାକୁ ପଡୁଛି

-ଚଢ଼ା ଦରରେ ରୋଗୀଙ୍କୁ ହସ୍ପିଟାଲ ବାହାରେ ବିଭିନ୍ନ ପରୀକ୍ଷା କରିବାକୁ ପଡୁଛି

-ହସ୍ପିଟାଲରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ଠିକ୍ ସମୟରେ ଖାଇବା ମିଳୁନି ।

ଆଉ ଏଭଳି ଅଭିଯୋଗ ଆସିବାର କିଛି ଘଣ୍ଟା ମଧ୍ୟରେ ନିଆଯାଇଥିଲା ଆକ୍ସନ । ସିଡିଏମଓଙ୍କୁ ନିଲମ୍ବନ ସହ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ସେହିଭଳି ଅଚାନକ ପୁରୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଓଡିଶା ମେଡିସିନ କର୍ମପୋରେସନର ସିଏମଡି ଯାମିନୀ ଷଡଙ୍ଗୀ । ପୁରୀ ଡାକ୍ତରଖାନାରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା ତାହା ତଦାରଖ କରିବା ସହ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଧିରେନ୍ଦ୍ର କୁଟେଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଢ଼େଙ୍କନାଳ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରିବୁଝିଛନ୍ତି ।

ଆଉ ଏହାରି ଭିତରେ ସୁନ୍ଦରଗଡ଼ ଗସ୍ତ ପରେ ବାରିପଦାରେ ପହଞ୍ଚି ସ୍ୱାସ୍ଥ୍ୟସେବାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ । ଏହି ସରକାରୀ ଟିମ୍ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କୁ ଚିକିତ୍ସା ସେବା ସଂପର୍କରେ ପଚାରିବୁଝିଛନ୍ତି ।