ସରକାରୀ ପୁସ୍ତିକାରେ ଗାନ୍ଧୀଙ୍କ ହତ୍ୟା ସଂପର୍କରେ ଭୁଲ ତଥ୍ୟକୁ ନେଇ ବିଧାନସଭା ସରଗରମ । ନରସିଂହଙ୍କ କଟାକ୍ଷ, ପଚାରିଲେ ଗଡସେଙ୍କ ମନ୍ଦିର କେବେ? ଉଦବେଗ ପ୍ରକାଶ କଲେ ସୌମ୍ୟରଂଜନ

ବାଚସ୍ପତିଙ୍କ ରୁଲିଂ, କାଲି ବିବୃତି ରଖିବେ ସରକାର

388

କନକ ବ୍ୟୁରୋ: ଜାତୀର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ତିଆରି ହୋଇଥିବା ଲିଫଲେଟ୍ ବା ପ୍ରଚାର ପତ୍ରରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇବାକୁ ନେଇ ଓଡିଶା ରାଜନୀତିରେ ଉଠିଛି ଝଡ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ବିଧାନସଭାରେ ଶାସକ ବିଜେଡି ଦଳକୁ ଘେରିଛନ୍ତି । ଶାସକ ଦଳକୁ କଟାକ୍ଷ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କହିଲେ ଗଡସେଙ୍କ ମନ୍ଦିର କେବେ ? ସେପଟେ ଏହି ପ୍ରସଙ୍ଗରେ ଆସନ୍ତାକାଲି ଗୃହରେ ବିବୃତି ରଖିବେ ରାଜ୍ୟ ସରକାର ।

ଏ ହେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗର ପୁସ୍ତିକା । ଯାହାକୁ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍କୁଲଗୁଡିକରେ ବାଂଟିଥିଲେ ସରକାର । ପୁସ୍ତିକାର ଏହି ପାରାଗ୍ରାଫ୍ ଉପରେ ନଜର ପକାନ୍ତୁ, ଏଥିରେ ଲେଖାଅଛି ୧୯୪୮ ମସିହା ଜାନୁଆରୀ ୩୦ ରେ ଏକ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଜୀଙ୍କ ମୃତ୍ୟୁ ହୋଇଥିଲା ।

ଆକସ୍କିକ ଘଟଣାକ୍ରମରେ ହୋଇଥିଲା ଗାନ୍ଧୀଜୀଙ୍କ ମୃତ୍ୟୁ? ଗୁଳି କରି ନାଥୁରାମ ଗଡସେ କରିନଥିଲେ ହତ୍ୟା? ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗରେ ସରଗରମ ହୋଇଛି ବିଧାନସଭା । ପ୍ରଶ୍ନ କାଳରେ ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜସ୍ୱ ବିଭାଗ ଆଲୋଚନା ଚାଲୁଥିବା ବେଳେ ନାଥୁରାମ ଗଡସେଙ୍କ ମନ୍ଦିର କେବେ ନିର୍ମାଣ ହେଉଛି ବୋଲି ତାତ୍ସଲ୍ୟ କରି ପଚାରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ।

ଶୂନ୍ୟ କାଳରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସରଗରମ ରହିଥିଲା ବିଧାନସଭା । ଏହା ଏକ ଗମ୍ଭୀର ପ୍ରସଙ୍ଗ କହିବା ସହ ଉଦବେଗ ପ୍ରକାଶ କରିଥିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ତେବେ ସରକାରଙ୍କ ପୁସ୍ତିକାରେ ଭୁଲ ତଥ୍ୟ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ବାଚସ୍ପତି । ଆସନ୍ତାକାଲି ଗୃହରେ ସରକାର ଏ ନେଇ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।