ଭାରତର ବଡ଼ କୁଟନୈତିକ ବିଜୟ ! ୱାଘା ବର୍ଡରରେ ଜାରି ରହିଛି ପାଇଲଟ୍ ଅଭିନନ୍ଦନଙ୍କ ହସ୍ତାନ୍ତର ପ୍ରକ୍ରିୟା, ସାରା ଦେଶରେ ଉତ୍ସବର ମାହୋଲ ।

196

କନକ ବ୍ୟୁରୋ : ଭାରତ ମାଟିର ବୀର ଯୋଦ୍ଧା ପାଇଲଟ୍ ଅଭିନନ୍ଦନଙ୍କୁ ୩ ଦିନ ପରେ ଫେରାଇ ଦେଇଛି ପାକିସ୍ତାନ । ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଅଭିନନ୍ଦନଙ୍କର ଭାରତକୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ୱାଘା ବର୍ଡର ଦେଇ ଭାରତରେ ପହଁଚିବେ ୱିଙ୍ଗ ପାଇଲଟ୍ ଅଭିନନ୍ଦନ ବର୍ତମାନ । ଅଭିନନ୍ଦନ, ଭାରତ ଫେରିବା ନେଇ ସାରା ଭାରତରେ ଉତ୍ସାହର ମାହୋଲ ଦେଖିବାକୁ ମିଳଛି । ଏ ଏପରି ଏକ ଦୃଶ୍ୟ ଯାହାକୁ ଦେଖିବା ପାଇଁ ଦେଶର ୧୨୫ କୋଟି ଲୋକ ଅପଲକ ନୟନରେ ଚାହିଁ ରହିଥିଲେ । ବୀର ଯବାନଙ୍କ ପାଇଁ ସକାଳରୁ ସଂଧ୍ୟା ଯାଏଁ ସାରା ଦେଶର କୋଟି କୋଟି ଲୋକ ଟିଭି ସେଟ୍ ନିକଟରେ ବସି ରହିଥିଲେ । ଭାରତ ମାତାର ସେହି ଯୋଦ୍ଧା ସିପାହୀ ଯିଏ ଦେଶବାସୀଙ୍କ ହୃଦୟ ଜିଣି ନେଇଛନ୍ତି ।

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ‘ମିଗ୍-୨୧ ବାଇସନ୍’ର ସୁଦକ୍ଷ ପାଇଲଟ୍ । ସକାଳର କୁହୁଡି ଘେରା ଆକାଶକୁ ଭ୍ରୁକ୍ଷେପ ନକରି ୱାଘା ବର୍ଡର ନିକଟରେ ପହଁଚି ଯାଇଥିଲେ ହଜାର ହଜାର ଲୋକ । କେତେବେଳେ ଅଭିନନ୍ଦନ ଫେରିବେ କାହା ପାଖରେ କିଛି ଖବର ନଥିଲା, ହେଲେ ଭାରତ ମାଆର ଏହି ବୀର ସନ୍ତାନଙ୍କୁ ଦେଖିବା ପାଇଁ ୱାଘା ସୀମାକୁ ଧାଇଁ ଯାଇଥିଲେ । ଏପଟେ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଆବାଳ ବୃଦ୍ଧ ବନିତା ଟିଭି ସେଟ ନିକଟରେ ବୀର ଯବାନ ଅଭିନନ୍ଦନଙ୍କ ଝଲକ ପାଇବା ପାଇଁ ଅପେକ୍ଷା କରି ରହିଥିଲେ । ଅଭିନନ୍ଦନଙ୍କ ଗାଡ଼ି ୱାଘା ବର୍ଡର ନିକଟକୁ ଯେତିକି ପାଖେଇ ଆସୁଥିଲା, ସେହି ଅନୁପାତରେ ବଢ଼ି ଚାଲିଥିଲା ଦେଶବାସୀଙ୍କ ହୃତସ୍ପନ୍ଦନ ।

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ସାରା ଦେଶବାସୀଙ୍କ ମଧ୍ୟରେ ଏପରି ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାହା ଭାଷାରେ ବର୍ଣନା କରିବା ଅସମ୍ଭବ । ଅଭିନନ୍ଦନ ଫେରିଆସିବା ପରେ ଭାରତବାସୀ ଆଶ୍ୱସ୍ତ ହୋଇଛନ୍ତି । ଆଉ ପାକିସ୍ତାନ ମଧ୍ୟ ଏକ ବଡ଼ ବିପଦରୁ ବର୍ତମାନ ପାଇଁ ରକ୍ଷା ପାଇଯାଇଛି ।

ପୁଲୱାମା ହମଲାର ୧୨ ଦିନ ପରେ ପାକିସ୍ତାନ ମାଟିରେ ଜୈସେ ଆଡ୍ଡାକୁ ଭାରତୀୟ ବାୟୁ ସେନା ଉଡ଼ାଇଦେବା ଓ ଠିକ୍ ଏହାର ଦିନକ ପରେ ପାକିସ୍ତାନ ବାୟୁସେନା ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବା, ଏହା ଏପରି ସ୍ଥିତି ସୃଷ୍ଟି କରିଥିଲା, ତାହା କେତେବେଳେ କେଉଁ ମୋଡ଼ ନେଇଥାନ୍ତା, ତାକୁ କଳ୍ପନା କରିବା ମୁସ୍କିଲ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ଘନେଇଥିଲା, ଯେତେବେଳେ ମିଗ୍-୨୧ ବାଇସନର ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ବନ୍ଧକ ବନାଇଥିଲା । ଦୁର୍ଘଟଣାଗ୍ରସ୍ତ ମିଗ୍-୨୧ ବାଇସନରୁ ପାରାଚ୍ୟୁଟରେ ଓହ୍ଲାଇ ପଡିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ତେବେ ଏହା ପୂର୍ବରୁ ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନଙ୍କୁ ଆକଶରେ ହିଁ ଉଡାଇ ଦେଇଥିଲେ ଅଭିନନ୍ଦନ ।

ପିଓକେରେ ଅଭିନନ୍ଦନଙ୍କୁ କାବୁ କରିବା ପରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ପ୍ରତିଶୋଧର ରକ୍ତ ଚାଉଳ ଚୋବାଇଥିଲେ କୋଟି କୋଟି ଦେଶବାସୀ । ଅଭିନନ୍ଦନଙ୍କୁ ଦେଶକୁ ଫେରାଇ ଆଣିବା ନେଇ ବ୍ୟାକୁଳତା ବଢ଼ୁଥିବା ବେଳେ ପାକିସ୍ତାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ଚାପ ବଢ଼ୁଥିଲା । ପରିସ୍ଥିତି ଏପରି ବିସ୍ଫୋରକ ରୂପ ନେଉଥିଲା, ଲାଗୁଥିଲା ଯେକୌଣସି ମୁହୂର୍ତରେ ବଡ଼ ଧରଣର ଆକ୍ରମଣ କରିପାରେ ଭାରତ । ପରିସ୍ଥିତି ନିୟନ୍ତ୍ରଣ ହରାଉଥିବା ବେଳେ ଗୁରୁବାର ଅପରାହ୍ଣରେ ଅଭିନନ୍ଦନଙ୍କ ମୁକ୍ତି ନେଇ ଘୋଷଣା କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନଙ୍କ ଏହି ଘୋଷଣା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାମୟିକ ସମୟ ପାଇଁ ହେଉ ପଛେ ବିରାମ ଲଗାଇ ଦେଇଛି ।