ଦିଲ୍ଲୀ ହିଂସା ପରେ କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ଶକ୍ତ ଝଟକା ! ଆପ୍ କାଉନସିଲର ତାହିର ହୁସେନଙ୍କ ବିରୋଧରେ ଲାଗିଛି ହତ୍ୟା ମାମଲା, ଅଭିଯୋଗ ପରେ ନିଲମ୍ବିତ କଲା ଦଳ ।

292

କନକ ବ୍ୟୁରୋ: କିଛିଦିନ ତଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଚେକ୍ ଦେଇ ଚର୍ଚ୍ଚାରେ ଥିଲା ଆମ ଆଦମୀ ପାର୍ଟି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ମୋଦି ହାୱା ସତ୍ୱେ ଦିଲ୍ଲୀ ନିର୍ବାଚନରେ ଧୁଳି ଚଟାଇ ପ୍ରବଳ ବାହା ବାହା ସାଉଁଟିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହେଲେ ଦିଲ୍ଲୀ ହିଂସା ପରେ କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ଲାଗିଛି ଶକ୍ତ ଝଟକା । କାରଣ ଆମ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କ ବିରୋଧରେ ଲାଗିଛି ହତ୍ୟା ମାମଲା । ଦିଲ୍ଲୀ ହିଂସା ପାଇଁ ଆପ ନେତା ତାହିର ହୁସେନଙ୍କ ସମେତ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ହତ୍ୟା, ପୋଡାଜଳା ଓ ହିଂସାକୁ ଉସୁକାଇବା ଭଳି ସଂଗୀନ ମାମଲା । ଦିଲ୍ଲୀ ଦୟାଲପୁର ଥାନାରେ ତାହିରଙ୍କ ବିରୋଧରେ ମାମଲା ରୁଜୁ ହେବାପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ ଆଦମୀ ପାର୍ଟି ।

ଆପ୍ ନେତାଙ୍କ ବିରୋଧରେ ହତ୍ୟା ଓ ପୋଡାଜଳା ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଛବି ବଂଚାଇବାକୁ ତାହିର ହୁସେନଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ।

ଦିଲ୍ଲୀ ଖଜୁରୀ ଅଂଚଳରେ ଥିବା ଏହି ଘର ଆପ ନେତା ତାହିର ହୁସେନଙ୍କର । ଘର ଛାତ ଉପରୁ ମିଳିଥିଲା ପେଟ୍ରୋଲ ବୋମା ସମେଟ ଟେକା ପଥର, ବାଟୁଳି ଖଡା ଓ ଏସିଡ । ମଙ୍ଗଳବାର ଦିଲ୍ଲୀରେ ହିଂସାକାଣ୍ଡ ପାଇଁ ଏସବୁ ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଭାଇରାଲ ଭିଡିଓ… ସେହିପରି ସୋସିଆଲ ମିଡିଆରେ ଘୁରି ବୁଲୁଛି ଆଉଏକ ଭିଡିଓ । ହିଂସାକାଣ୍ଡ ଦିନ ତାହିରଙ୍କ ଘର ଛାତ ଉପରେ ରହି ପ୍ରତିବାଦକାରୀଙ୍କ ଉପରେ ପଥର ଓ ପେଟ୍ରୋଲ ବୋମା ବର୍ଷା କରୁଥିଲେ କିଛି ଦୁର୍ବୃତ । ଭିଡିଓରେ କିଛି ଅଜ୍ଞାତ ଦୁର୍ବୃତଙ୍କ ସହ ନିଜେ ତାହିର ହୁସେନ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହାପରେ ଗୁରୁବାର ତାହିର ହୁସନଙ୍କ ଘରକୁ ସିଲ କରିଦିଆ ଯାଇଛି । ଏଥିସହ ଚାନ୍ଦବାଗରେ ଥିବା ତାଙ୍କ ଫ୍ୟାକ୍ଟ୍ରିକୁ ସିଲ କରିଛି ଦିଲ୍ଲୀ ପୋଲିସ । କ୍ରାଇମବ୍ରାଂଚର ସାଇଂଟିଫିକ ଟିମ ପହଂଚି ଏଠାରେ ଛାନଭିନ ଆରମ୍ଭ କରିଛି । ହେଲେ ଅଭିଯୋଗକୁ ମୂଳରୁ ଖଣ୍ଡନ କରିଆସୁଛନ୍ତି ଆପ ନେତା ତାହିର ହୁସେନ ।

ଦିଲ୍ଲୀ ଦଙ୍ଗାରେ ମୃତ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପାଇଁ ଆପ ନେତା ତାହିର ହୁସେନଙ୍କୁ ଦାୟୀ କରିଆସୁଛନ୍ତି ତାଙ୍କ ପରିବାର ଲୋକ । ଅଙ୍କିତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ପେଟ ଓ ଛାତିରେ ଛୁରା ଭୁଷି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

ଏହାରି ଭିତରେ ଦିଲ୍ଲୀ ଦଙ୍ଗାକୁ ନେଇ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଏହି ଖବର ହସ୍ପିଟାଲ ଗୁଡିକରୁ ଆସିଛି । କାରଣ ଦଙ୍ଗାରେ ମୃତ ଓ ଆହତଙ୍କ ସୂଚୀ ଜାରି କରାଯାଇଛି । କାହାର କେମିତି ମୃତ୍ୟୁ ହେଲା ବା କିଏ କେମିତି ଆହତ ହେଲେ ତାକୁନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏବଂ ସୂଚନାରେ ଅଧିକାଂଶ ଲୋକଙ୍କ ଗୁଳି ବାଜି ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେଣୁ ପ୍ରଶ୍ନ ଉଠୁଛି
– ଆକ୍ରମଣକାରୀଙ୍କ ପାଖରେ ଏତେ ବନ୍ଧୁକ କେଉଁଠୁ ଆସିଲା?
– ଦଙ୍ଗା ସୃଷ୍ଟି କରିବାକୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା କି?