ପପୁଙ୍କ ପୋଷ୍ଟର ବିବାଦରେ ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା। ଅନୁପ ସାହୁ କହିଲେ, ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ହେବ ନୋଟିସ୍

ପପୁ କହିଲେ, ମହିଳାଙ୍କୁ କରିନାହାନ୍ତି ଅସମ୍ମାନ; ସେପଟେ ସୋସିଆଲ ମିଡିଆରେ ସଫେଇ ରଖିଲା ସାର୍ଥକ ମ୍ୟୁଜିକ

699

କନକ ବ୍ୟୁରୋ: ପପୁଙ୍କ ଫିଲ୍ମ ପୋଷ୍ଟର ବିବାଦରେ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ନୋଟିସ୍ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ସୋସିଆଲ ମିଡିଆରେ କିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି । ଗତକାଲି ବିବାଦୀୟ ପୋଷ୍ଟର ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିସନରେ ଅଭଯୋଗ କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏଭଳି ବିବାଦୀୟ ପୋଷ୍ଟରକୁ ତୀବ୍ର ନିନ୍ଦା କରିଥିଲେ । ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା ।

ତେବେ ପୋଷ୍ଟର ବିବାଦ ପରେ କନକ ନ୍ୟୁଜରେ ସଫେଇ ରଖିଲେ କମେଡି କିଙ୍ଗ ପପୁ ପମପମ । କହିଲେ, ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଚିଂବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ । କହିଛନ୍ତି ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି । ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପପୁ ।

ସେପଟେ, ପପୁଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ବିବାଦ ପରେ ସୋସିଆଲ ମିଡିଆରେ ସଫେଇ ରଖିଛି ପ୍ରେଯାଜନା ସଂସ୍ଥା ସାର୍ଥକ ମୁଜିକ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଛି । ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଛି । ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଛି । ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ଫିଲ୍ମରେ ପପୁ କରିଥିବା ଚରିତ୍ର ବିଭିନ୍ନ ସମୟରେ କଳ୍ପନା ଦାସ ଓ ଦୂତି ଚାନ୍ଦଙ୍କ ଭଳି ପ୍ରତିଭାବାନ କ୍ରୀଡାବିତଙ୍କ ଉଦାହରଣ ଦେଉଥିବା ଚିତ୍ରିତ ହୋଇଛି । ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଅପିଲ କରିଛି ପ୍ରଯୋଜନା ସଂସ୍ଥା ।