ମୁଣ୍ଡ ବିନ୍ଧା ବଢ଼ାଇଲା ବିଜୁଳି ବିଲ୍ ! ଜାଳୁଥିଲେ ବଲବ ଗୋଟିଏ, ଫ୍ୟାନ୍ ଗୋଟିଏ । ବକେୟା ବିଲ୍ ଆସିଲା କୋଟିଏ କୋଟିଏ…

ଏମିତି କ’ଣ ଜାଳିଲେ କି ? ଜଣେ ଗରୀବ ବୃଦ୍ଧଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ଆସିଲା ୧୨୮ କୋଟି ।

785

କନକ ବ୍ୟୁରୋ: ଏମିତି କ’ଣ ଜାଳିଲେ କି ? ଜଣେ ଗରୀବ ବୃଦ୍ଧଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ଆସିଲା ୧୨୮ କୋଟି । ଯାହାକି ଏବେ ଜାତୀୟ ଗଣମାଧ୍ୟମ ଖବରର ଶିରୋନାମା ପାଲଟିଛି । ସୂଚନା ମୁତାବକ, ଉତ୍ତର ପ୍ରଦେଶର ହାପୁରରେ ବସବାସ କରୁଥିବା ଗରିବ ବୃଦ୍ଧ ଶମିମଙ୍କ ପାଖକୁ ଆସିଛି ଏଭଳି ହୋସ୍ ଉଡ଼ାଇଦେଲା ଭଳି ବିଲ୍ । ବିଦ୍ୟୁତ୍ ବିଭାଗ ତରଫରୁ ଶମିମଙ୍କୁ ମିଳିଥିବା ବକେୟା ବିଲର ରାଶି ପାଖାପାଖି ୧୨୮ କୋଟି ଟଙ୍କା ଥିବା ଜଣାପଡ଼ିଛି । ଆଉ ଏହି ବିଦ୍ୟୁତ୍ ବିଲ୍ କୁ ନେଇ ଗ୍ରାମବାସୀ ନୁହେଁ ସାରା ସହରବାସୀଙ୍କ ହୋସ୍ ଉଡ଼ିଯାଇଛି ।

ଶମିମ କହିଛନ୍ତି କି, ଘରେ କେବଳ ସେ ଏବଂ ତାଙ୍କ ପତ୍ନୀ ରହୁଛନ୍ତି । ଆଉ ମୁଣ୍ଡ ଉପରେ ଦାରିଦ୍ର‌୍ୟ ଦାଉ ସାଜିଥିବାରୁ କେବଳ ଗୋଟିଏ ବଲ୍ୱ ଓ ଗୋଟିଏ ଫ୍ୟାନ୍ ବ୍ୟବହାର ହୁଏ । ତାହା ବାବଦରେ ମାସିକ ୫ଶହରୁ ୭ଶହ ଟଙ୍କା ବିଜଳି ବିଲ୍ ପୈଠ କରନ୍ତି । ହେଲେ ଏଭଳି ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବିଲ୍ ପାଇବା ପରେ ସେ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ । ତ୍ରୁଟି ଠିକ୍ କରିବା ପାଇଁ ଅଫିସକୁ ଯାଇଥିଲେ କିନ୍ତୁ ବିଦ୍ୟୁତ୍ ବିଭାଗ ତାଙ୍କୁ ଓଲଟି ୨ କିଲୋୱାଟ୍ ଘରୋଇ ସଂଯୋଗୀକରଣ ପାଇଁ ଏହି ୧୨୮ କୋଟି ଟଙ୍କାର ବକେୟା ରାଶି ଜମା କରିବାକୁ କହିଛନ୍ତି । ଆଉ ଯେପର୍ଯ୍ୟନ୍ତ ବିଲ୍ ପୈଠ ନକରିଛନ୍ତି ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ବିଦ୍ୟୁତ୍ ସଂଯୋଗ ମିଳିବ ନାହିଁ ବୋଲି ରୋକଠୋକ କହିଛନ୍ତି ବିଦ୍ୟୁତ୍ ବିଭାଗ ବୋଲି କହିଛନ୍ତି ଶମିମ୍ ।

ଏପରିକି କ୍ଷୋଭର ସହ ଶମିମ୍ କହିଛନ୍ତି ଲାଗୁଛି ଯେମିତି ପୂରା ହାପୁର ସହରର ବିଦ୍ୟୁତ୍ ବିଲ୍ ତାଙ୍କ ନିକଟକୁ ଚାଲିଆସିଛି । ଆଉ ସେ ଏତେ ଟଙ୍କା କେମିତି ପୈଠ କରିବି ବୋଲି କାକୁତିମିନତି ହୋଇ କହିଛନ୍ତି ଶମିମ୍ । ଅନ୍ୟପଟେ ବିଭାଗର ଇଲେକ୍ଟ୍ରିକାଲ୍ ଇଂଜିନିୟରଙ୍କ କହିବା ମୁତାବକ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ବିଲ୍ ଶମିମଙ୍କ ପାଖକୁ ଯାଇଛି । ବିଭାଗର ବକେୟା ବିଲ୍ ଫେରସ୍ତ କରିବା ପାଇଁ ଆଉ ଥରେ ସଂଶୋଧନ ବିଲ୍ ତାଙ୍କ ନିକଟକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହାପୁର ବିଦ୍ୟୁତ୍ ବିଭାଗର ଇଲେକ୍ଟ୍ରିକାଲ୍ ଇଂଜିନିୟର ରାମ ଶାରନ ।

କେବଳ ଶମିମ ଏଭଳି କୋଟି କୋଟି ଟଙ୍କାର ବିଲ୍ ପାଇବଥିବା ଜଣେ ବ୍ୟକ୍ତି ନୁହନ୍ତି । ପୂର୍ବରୁ ମଧ୍ୟ ଜାନୁୟାରୀ ମାସରେ ଉତ୍ତର ପ୍ରଦେଶର କନ୍ନାଉଜ ଅଞ୍ଚଳର ଜଣେ ନିବାସୀଙ୍କ ନିକଟକୁ ୨ କିଲୋୱାଟ୍ ହିସାବରେ ୨୩ କୋଟି ଟଙ୍କାର ମାସିକିଆ ବିଲ୍ ଜମା କରିବାକୁ ପହଁଚିଥିଲା । ସେହଭିଳି ୨୦୧୮ ମେ’ ମାସରେ ମହାରାଷ୍ଟ ଔରଙ୍ଗାବାଦର ଜଣେ ପରିବା ଦୋକାନୀଙ୍କୁ ମଧ୍ୟ ଏହିଭଳି ତ୍ରୁଟିପୂର୍ଣ୍ଣ ମହଙ୍ଗା ବିଲ୍ ମିଳିବାରୁ ସେ ଆତ୍ମହତ୍ୟା କରିଥିଲେ । ତେବେ ବାରମ୍ବାର ଏଭଳି ତ୍ରୁଟିପୂର୍ଣ୍ଣ ବିଲ୍ ଏବଂ ତାହା ପୁଣି କେବଳ ନୀରିହ ଗରିବ ପରିବାରକୁ ହିଁ ମିଳୁଛି । ଏହାକୁ ନେଇ କେବେ ନିଦରୁ ଉଠିବ ଶକ୍ତି ବିଭାଗ ତାହା ଉପରେ ନଜର ।