ମୋଦିଙ୍କ ପାଇଁ ଚାକିରି ଛାଡିଦେଲେ ଯୁବକ । ପ୍ରଧାନମନ୍ତ୍ରୀଙ୍କୁ ଆଉ ଥରେ ଜିତାଇବା ପାଇଁ ଅଷ୍ଟ୍ରେଲିଆରୁ ଭାରତ ଚାଲିଆସିଲେ ସୁଧିନ୍ଦ୍ର

900

କନକ ବ୍ୟୁରୋ: ସାଧାରଣତଃ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ମୋଦିଙ୍କର ଏଭଳି ହିଁ ଜଣେ ପ୍ରଂଶସକ ରହିଛନ୍ତି, ଯିଏକି ମୋଦିଙ୍କୁ ଭୋଟ୍ ଦେବା ପାଇଁ ବିଦେଶରେ କରୁଥିବା ଚାକିରି ତଥା ମୋଟା ଅଙ୍କର ଦରମା ଛାଡି ସ୍ୱଦେଶକୁ ଚାଲିଆସିଛନ୍ତି । ଆଜ୍ଞା ହଁ । କେବଳ ମୋଦିଙ୍କ ପାଇଁ ହିଁ ଏହି ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆରେ କରୁଥିବା ଚାକିରିକୁ ନାତ୍ ମାରି ଭାରତ ଫେରିଆସିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, କର୍ଣ୍ଣାଟକରେ ରହୁଥିବା ସୁଧିନ୍ଦ୍ର ହେବ୍ୱାର ନାମକ ବ୍ୟକ୍ତି ଜଣକ ସିଡନୀ ଏୟାରପୋର୍ଟରେ ସ୍କ୍ରିନିଂ ଅଫିସର ଭାବରେ କାମ କରନ୍ତି । ତେବେ ଭୋଟିଂ ଦିନ ତାଙ୍କୁ ଛୁଟି ନମିଳିବାରୁ ସେ ଚାକିରି ଛାଡିବାକୁ ନିଷ୍ପତି ନେଇଛନ୍ତି । ଆଉ ଚାକିରିରୁ ରିଜାଇନ ଦେଇ ଭାରତ ଫେରିଆସିଛନ୍ତି । କାହିଁକି ନା ସେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ଯେଉଁ କାରଣରୁ ସେ ଏଭଳି ପଦକ୍ଷେପ ଉଠାଇଛନ୍ତି ।

ସୁଧିନ୍ଦ୍ରଙ୍କ କହିବା କଥା ହେଲା କି, ଭୋଟିଂ ଲାଗି ଛୁଟି ପାଇଁ ସେ ଆବେଦନ କରିଥିଲେ । ହେଲେ ତାଙ୍କୁ ଛୁଟି ମିଳିନଥିଲା । କିନ୍ତୁ ସେ କୌଣସି ବି ପରିସ୍ଥିତିରେ ଭୋଟ ଦେବାକୁ ଚାହୁଥିଲେ । ଯେଉଁଥିପାଇଁ ସେ ରିଜାଇନ ଦେଇ ଘରକୁ ଫେରିଆସିବାକୁ ଉଟିତ ମନେକଲେ । ‘ମୁଁ ସୀମାରେ ନିଜ ଦେଶର ସେବା କରିପାରିଲି ନାହିଁ କିନ୍ତୁ ଭୋଟ୍ ଦେଇ ଜଣେ ଭୋଟର କର୍ତ୍ତବ୍ୟ ନିଶ୍ଚୟ ପାଳନ କରିବି’ ବୋଲି ସୁଧିନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ରିପୋର୍ଟ ଅନୁସାରେ, ଗତ ଲୋକସଭା ନିର୍ବାଚନରେ ବି ସୁଧିନ୍ଦ୍ର ୧୭ ଏପ୍ରିଲ ୨୦୧୪ରେ ଭାରତ ଆସିଥିଲେ ଏବଂ ନିଜ ମତାଧିକାରର ବ୍ୟବହାର କରି ପୁଣି ସିଡନୀ ଫେରିଯାଇଥିଲେ ।