କନକ ବ୍ୟୁରୋ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ତଦନ୍ତ କମିସନ ନିଯୁକ୍ତ । ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିସନ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାର ବିଚାର ବିଭାଗ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ କରି ୩ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ସୂଚନାଯୋଗ୍ୟ ଯେ,ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଥିବାନେଇ ସ୍ପଷ୍ଟ ହେବା ପରେ ସର୍ବସାଧାରଣରେ ବିଭିନ୍ନ ସନ୍ଦେହ ପ୍ରକାଶ ପାଇଛି। ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର କମିସନଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଦାଶଙ୍କୁ ରାଜ୍ୟ ସରକାର କମିସନର ଅଧ୍ୟକ୍ଷଭାବେ ମଙ୍ଗଳବାର ନିଯୁକ୍ତି ଦେଇଛନ୍ତି।

Advertisment

publive-image

ଅନ୍ୟପଟେ, ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହେବା ପରେ ଏପଟେ ରତ୍ନଭଣ୍ଡାରରେ ସୁନା ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଉ ଏହି ସମୟରେ ପୁଣି ଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଉଠିଛି । ରତ୍ନଭଣ୍ଡାର ଖୋଲି ଏହାର ହିସାବ କରାଗଲେ ଲୋକଙ୍କ ମନରୁ ସନ୍ଦେହ ଦୂର ହେବ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି । ସେପଟେ ସମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଥିଲେ କି, ରତ୍ନ ଭଣ୍ଡାର ଚାବି ହଜିନାହିଁ ବରଂ ହଜେଇ ଦିଆଯାଇଛି । କମିସନ ତଦନ୍ତ ଆଳରେ ସତ ଚାପିଦେବାକୁ ରାଜ୍ୟସରକାର ପ୍ରୟାସ କରୁଥିବା ସେ କହିଥିଲେ । ଏହା ସହ ରାଜ୍ୟ ସରକାର ମନ୍ଦିର ପ୍ରଶାସନ ଆଇନର ଖୋଲାଖୋଲି ଉଲଙ୍ଘନ କରିିଛନ୍ତି ।

publive-image

ମନ୍ଦିର ପ୍ରଶାସନ ଆଇନ ଅନୁସାରେ , ପ୍ରତି ୬ମାସରେ ଥରେ ରତ୍ନ ଭଣ୍ଡାର ଖୋଲି ଏହାର ଯାଂଚ କରାଯିବା କଥା ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ । ହେଲେ ୧୯୮୫ମସିହା ପରଠାରୁ ଥରୁଟିଏ ମଧ୍ୟ ରତ୍ନଭଣ୍ଡାର କଣ ପାଇଁ ଖୋଲା ହୋଇନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । ତେଣୁ ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ଅନ୍ୟପଟେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁରକ୍ଷିତ ଥିବା ସ୍ପଷ୍ଟିକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ୩ଟି ଯାକ ଚାବିରୁ ଗୋଟିଏ ହଜିଯିବା କଥା ସତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକାର କରିଛି ।

publive-image

ସେପଟେ, ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର । ୯ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନକାରୀ । ମୁଖ୍ୟ ସଚିବ, ପୁରୀ ଜିଲ୍ଲପାଳଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାୟର ରହିଛି । ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ଏଥିରେ ପକ୍ଷଭୁକ୍ତ କରାଯାଇଛି । ରତ୍ନଭଣ୍ଡାର ଅଳଙ୍କାର ଯାଂଚ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ମଧ୍ୟ ଆବେଦନ କରାଯାଇଛି ।