ମାରୁତି କାର, ଧଳା କୁର୍ତା,ପାଇଜାମା ସାଙ୍ଗକୁ କୋହ୍ଲାପୁରୀ ଚପଲ । କ୍ୟାରିୟର ଆରମ୍ଭରୁ ଏଯାଏଁ, ଏମିତି ସାଧାସିଧା ଜୀବନ ବିତାଉଛନ୍ତି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ।

898

କନକ ବ୍ୟୁରୋ: ଦାମୀ ପୋଷାକପତ୍ର, ଚଳଣିରେ ଆଭିଜାତ୍ୟ, ସୌଖୀନ ଜୀବନଯାପନ ଶୈଳୀ କ’ଣ ଜଣଙ୍କର ବ୍ୟକ୍ତିତ୍ୱର ମାପକାଠି ହୋଇପାରେ? ଏହିସବୁ ପ୍ରଶ୍ନ ମନକୁ ଆସିବା ବେଳେ ସାମନାକୁ ଆସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରଳ ଓ ନିରାଡମ୍ବର ଜୀବନ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚିତ ଓ ଲୋକପ୍ରିୟ କରିଛି । ପାଖାପାଖି ଦୁଇ ଦଶନ୍ଧୀ ଧରି କ୍ଷମତାର କେନ୍ଦ୍ରବିନ୍ଦୁରେ ରହିଥିଲେ ମଧ୍ୟ ନିଜ ଭାବମୂର୍ତିକୁ ସାମାନ୍ୟତମ କ୍ଷୁଣ୍ଣ ହେବାକୁ ଦେଇନାହାନ୍ତି ନବୀନ । ଆଜି ନବୀନ କେବଳ ଜଣେ ସାଧାରଣ ରାଜନେତା ନୁହଁନ୍ତି, ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ ।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯେମିତି ଜୀବନ ଶୈଳୀ ଥିଲା ସାଧାରଣ, ମୁଖ୍ୟମନ୍ତ୍ରୀ ହେବା ପରେ ଠିକ୍ ସେହିପରି ନିରାଡମ୍ବର ଜୀବନ । ଏକଦମ୍ ସାଧାସିଧା ମଣିଷ । ପୋଷାକପତ୍ର କହିଲେ ଧଳା କୁର୍ତା ପାଇଜାମା, ହାୱାଇ କିମ୍ବା କୋହ୍ଲାପୁର ଚପଲ । ଅଫିସ ହେଉ କି’ ବାସଭବନ, ସବୁଠି ସାଧାରଣ ଆସବାବପତ୍ର । ଆଜି ବି ପୁରୁଣା କାଠ ଚୌକିରେ କାମ ଚଳାଇନିଅନ୍ତି ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ଡୁନ୍ ସ୍କୁଲରେ ପାଠପଢା, ବିଦେଶର ଆଭିଜାତ୍ୟ ମହଲରେ ବସାଉଠା, ହେଲେ ବ୍ୟକ୍ତିଗତ ଜୀବନ ଶୈଳୀରେ କେବେ ବି ବିଚ୍ୟୁତି ଘଟିନାହିଁ । ଏହା ହିଁ ନବୀନ ପଟ୍ଟନାୟକଙ୍କ ବିଶେଷତ୍ୱ । ଦିଲ୍ଲୀରେ ବହୁଦିନ ପର୍ଯ୍ୟନ୍ତ ସେହି ପୁରୁଣା ଫିଆଟ୍ କାର୍ ଥିଲା ତାଙ୍କର ସହଚର । ମୁଖ୍ୟମନ୍ତ୍ରୀ ହେବା ପରେ ବି ଦୀର୍ଘ ବର୍ଷ ଧରି ମାରୁତି ଏଷ୍ଟିମ୍ ଗାଡି ବ୍ୟବହାର କରୁଥିଲେ । ପରେ ମାରୁତି ଏସଏକ୍ସ-୪ ମଡେଲ ଗାଡ଼ି ବ୍ୟବହାର କରିଥିଲେ ନବୀନ । ଦଳର ବିଧାୟକ, ମନ୍ତ୍ରୀଙ୍କୁ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଇଥାଆନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ପଟ୍ଟନାୟକ ହେଉଛନ୍ତି, ଏପରି ଜଣେ ମୁଖ୍ୟମନ୍ତ୍ରୀ, ଯାହାଙ୍କ ସୁରକ୍ଷା ବ୍ୟବସ୍ଥା ଅତି ସାଧାରଣ । ତାଙ୍କ କାରକେଡ୍ରେ ମାତ୍ର କେତୋଟି ପୁଲିସ ଏକ୍ସକଟ୍ ଗାଡ଼ି ଦେଖିବାକୁ ମିଳିଥାଏ । ନବୀନଙ୍କ ଏହି ଷ୍ଟାଇଲ ତାଙ୍କୁ ତାଙ୍କର ସମସାମୟିକ ରାଜନେତାଙ୍କଠାରୁ ଭିନ୍ନ ଭାବେ ପରିଚିତ କରିଛି । ଭିଭିଆଇପିର ପ୍ରତୀକ ଭାବେ ଥିବା ନାଲିବତୀକୁ ନିଜ ଗାଡ଼ିରୁ ହଟାଇବା ସହ ମନ୍ତ୍ରୀ ଓ ଅଫିସରଙ୍କ ଗାଡ଼ିରୁ ହଟାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ।

ଅସହାୟ, ଅବହେଳିତ ମଣିଷଙ୍କ ପ୍ରତି ନବୀନଙ୍କ ଦରଦୀପଣ ଦେଖିବାକୁ ମିଳିଥାଏ ତାଙ୍କ ସରକାରଙ୍କ ଯୋଜନା ଭିତରେ । ଅନୁସୂଚିତ ଜାତି, ଜନଜାତି, ଗରିବ, ଦୁର୍ବଳ, ବୁଦ୍ଧ ଓ ମହିଳାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା ହିଁ ନବୀନଙ୍କୁ ସାରା ଓଡ଼ିଶାରେ ଲୋକପ୍ରିୟ କରାଇଛି । ରାଜନୀତିର ହୋ-ହଲ୍ଲା ଭିତରେ ରହି ମଧ୍ୟ ଅତ୍ୟନ୍ତ ଶାନ୍ତ ଓ ସମ୍ଭ୍ରମ ତାଙ୍କ ବ୍ୟବହାର । ବିରୋଧୀ କୁତ୍ସାରଚନା, କଟୁ ଭାଷାରେ ସମାଲୋଚନା ମଧ୍ୟ ତାଙ୍କୁ ବିବ୍ରତ କରିନଥାଏ । ନବୀନ କେବେ ବି ପ୍ରତିକ୍ରିୟାଶୀଳ ହୋଇନଥାନ୍ତି । ଏହା ହିଁ ତାଙ୍କୁ ନିଆରା କରିଥାଏ ଅନ୍ୟ ରାଜନେତାଙ୍କଠାରୁ ।

ଜୀବନ ଶୈଳୀ ସରଳ, ହେଲେ ଦୁର୍ନୀତି ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ଦେଖାଇଥାନ୍ତି ନବୀନ । ବ୍ୟକ୍ତିଗତ ଭାବେ ହେଉ କିମ୍ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ସ୍ୱଚ୍ଛ ଭାବମୂର୍ତି ବଜାୟ ରଖିବାକୁ ସବୁବେଳେ ପ୍ରୟାସ କରି ଆସିଛନ୍ତି । ଦୁର୍ନୀତିର ଛିଟା ପଡିଥିବା ଅନେକ ବରିଷ୍ଠ ନେତାଙ୍କୁ ଦଳରୁ ବିଦା କରି ନିଜର ଭାବମୂର୍ତିକୁ ଆହୁରି ଉଜ୍ଜଳ କରିବାରେ ସେ ସକ୍ଷମ ହୋଇଛନ୍ତି । ଦୀର୍ଘଦିନ ଧରି କ୍ଷମତାରେ ରହିବା ପରେ ବି ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇଛି । ଆଜି ନବୀନ ଜଣେ ସାଧାରଣ ରାଜନେତା ନୁହଁନ୍ତି, ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ୍ ।

Comments are closed.