ଆସନ୍ତାକାଲି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆସିପାରେ ବଡ ଖବର । ସରକାର ଗଠନ ନେଇ କଂଗ୍ରେସ-ଏନସିପି ମଧ୍ୟରେ ସହମତି ହୋଇଥିବା ସୂଚନା, ଶିବସେନା ସହ ଆଲୋଚନାକୁ ଅପେକ୍ଷା ।

277

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଗଲା । ଆଜି ଏନସିପି ଓ କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ସହମତି ହୋଇଛି । ଆସନ୍ତାକାଲି ଶିବସେନା ସହ ଏନସିପି ଓ କଂଗ୍ରେସର ବୈଠକ ବସିବ । ଯଦି ଏହି ବୈଠକ ସଫଳ ହୁଏ, ତେବେ ଏନସିିପି-ଶିବସେନା ଓ କଂଗ୍ରେସର ସରକାର ଗଠନ ହେବ ।

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଫିଟୁଛି ରାସ୍ତା । ଏନସିପି ଓ କଂଗ୍ରେସର ତୁହାକୁ ତୁହା ବୈଠକ ମଧ୍ୟରେ ଦିଲ୍ଲୀ ସ୍ଥିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଉଭୟ ଦଳର ନେତା ବିଚାରବିମର୍ଷ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରସଙ୍ଗରେ ଏହା ଶେଷ ବୈଠକ ବୋଲି ଚର୍ଚ୍ଚା ହେଉଛି । କାରଣ ସରକାର ବନାଇବା ପାଇଁ ଏନସିପି ଓ କଂଗ୍ରେସ ମଧ୍ୟରେ ସହମତି ପ୍ରକାଶ ପାଇଛି । ସମସ୍ତ ପ୍ରସଙ୍ଗରେ ଉଭୟ ଦଳ ଏକମତ ହୋଇଛନ୍ତି । ଏବଂ ଉଭୟ ଦଳ ଶୁକ୍ରବାର ଦିନ ଶିବସେନା ସହ ବିଚାରବିମର୍ଷ କରିବେ ଯାହା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ।

ମହାରାଷ୍ଟ୍ରରେ ସରକାର ବନାଇବା ପାଇଁ ଏନସିପି ଓ କଂଗ୍ରେସ ସହ ଏକାଠି ହେଉଛି ଶିବସେନା । ତେବେ ଏହାକୁ ସମସ୍ତେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି କଂଗ୍ରେସ ଦଳ ଭିତରେ ହିଁ ଏହାକୁ ନେଇ ବିରୋଧର ସ୍ୱର ଉଠିଛି । ମହାରାଷ୍ଟ୍ର ସରକାରରେ କଂଗ୍ରେସ ତୃତୀୟ ଦଳ ଭାବେ ରହିବା ପାଇଁ ଦାବି ହେବା ଦଳର ବଡ ଭୁଲ୍ ବୋଲି କହିଛନ୍ତି କଂଗ୍ରେସ ନେତା ସଂଜୟ ନିରୂପମ ।

ସେପଟେ ଶିବସେନା ମୁଖପାତ୍ର ସଂଜୟ ରାଉତ ପୁଣି ଥରେ ରାଜ୍ୟରେ ସରକାର ଗଠନ ନେଇ ଦୃଢୋକ୍ତି ବାଢିଛନ୍ତି । ଡିସେମ୍ବର ୧ ସୁଦ୍ଧା ମହାରାଷ୍ଟ୍ରରେ ସରକାର ଗଠନ କରାଯିବ ବୋଲି କହିଛନ୍ି ସଂଜୟ ରାଉତ । ୧୪-୧୪-୧୪ ଫର୍ମୁଲାରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସ ଦାବି ରଖିଥିବା ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ରେସରୁ ଏନସିପି ଓହରିଥିବା ସୂଚନା ମିଳୁଛି । ତେବେ ଉଭୟ ଏନସିପି ଓ କଂଗ୍ରେସ ବାଚସ୍ପତି ପଦକୁ ଅନାଇଥିବା ବେଳେ ବିଭାଗ ନେଇ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ ।

ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସରକାର ଗଠନ ପାଇଁ ଜୋରଦାର କସରତ କରୁଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଗତ କିଛି ଦିନ ଧରି ରାଜ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ପରେ ଶୁକ୍ରବାର ଦିନ ଏଦିଗରେ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ଆଶା କରାଯାଉଛି ।