ଭରା ପାଣିରେ ଭାସୁଛି ମଣିଷ: ପେଟରେ ପବନ ରଖି ଘଣ୍ଟା ଘଣ୍ଟା ପାଣିରେ ପଡି ରହୁଛନ୍ତି, ପାଣି ଭିତରେ କଥା ହେଉଛନ୍ତି କଟକର ଭାସମାନ ମଣିଷ

316

କନକ ବ୍ୟୁରୋ: ପାଣିରେ ଭାସୁଛି ଜୀଅନ୍ତା ମଣିଷ । ଭରା ନଦୀର ଗଭୀର ପାଣିରେ ଘଣ୍ଟା ଘଣ୍ଟା ଭାସୁଛି ମଣିଷ । ପାଣି ଭିତରେ କଥା ହେଉଛି, ଆଖି ଖୋଲି ଆକାଶକୁ ଚାହୁଁଛି ଆଉ ଉଛୁଳା ଜଳରେ ଯୋଗାସନ ବି କରୁଛି ଜୀଅନ୍ତା ମଣିଷ । ଶରୀର ଭିତରେ ନିଶ୍ୱାସ- ପ୍ରଶ୍ୱାସକୁ ଆୟତ୍ତ କରି ପାଣିରେ ଭାସୁଛନ୍ତି କଟକର ବୃନ୍ଦାବନ ଦାସ ଆଜାଦ ।

ପେଟରେ ପବନ ରଖି ପାଣିରେ ଭାସୁଥିବା ୪୦ ବର୍ଷିୟ ବୃନ୍ଦାବନ ଅଭ୍ୟାସ ବଳରେ ଏପରି କରିପାରିଛନ୍ତି । ପାଣି ଭିତରେ କେମିତି କଳା କୌଶଳ ଆପଣେଇ ଭାସି ହୁଏ ତାହା ଦେଖିବାକୁ ଆଉ ଶିଖିବାକୁ ତୁଠରେ ଲାଗେ ଦେଖେଣାହାରୀଙ୍କ ଭିଡ ।

ତେବେ ପାଣି ଭିତରେ ଏହି କାଇଦା ପାଇଁ ବୃନ୍ଦାବନ ବନ୍ୟା ପାଣିରୁ ଅନେକଙ୍କୁ ଉଦ୍ଧାର କରିଛନ୍ତି । ୧୯୮୨ ମସିହାରେ ହୋଇଥିବା ବନ୍ୟାରେ ଏହି କୌଶଳ ଆପଣେଇ ସେ କାଠଯୋଡି ନଦୀରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ ।

ଭରା ପାଣିରେ ବୃନ୍ଦାବନଙ୍କ ଏହି ଭାସମାନ ବିଦ୍ୟା ଯଦି ସମସ୍ତେ ଶିଖନ୍ତେ, ତେବେ ବିଭିନ୍ନ ସମୟରେ ଗଭୀର ଜଳରେ ବୁଡି ଯାଉଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରିପାରନ୍ତେ । ଆଉ କାଇଦା ବଳରେ ଅନେକ ଜୀବନକୁ ଜଳ କବଳରୁ ବଞ୍ଚାଇ ପାରନ୍ତେ ।