କଅଁଳ ହାତରେ ବେଡି: ମାନସିକ ଅବସ୍ଥା ଭଲ ନଥିବାରୁ କୁନି ପୁଅକୁ ଘରେ ବାନ୍ଧି ରଖୁଛନ୍ତି ବାପାମାଆ

317

କନକ ବ୍ୟୁରୋ: ହାତରେ ପଡିଛି ବେଡି, ଛୁଆ ଛାଡୁଛି ରଡି । କଅଁଳ ବୟସରେ କିଛି ବୁଝି ନପାରି ଭେଁ ଭେଁ କାନ୍ଦୁଛୁି କୁନି ପୁଅ । ଜନ୍ମରୁ ମାନସିକ ଅବସ୍ଥା ଭଲ ନଥିବାରୁ ଭଲ ମନ୍ଦ ବୁଝି ନପାରି ଘରର ଜିନିଷ ପତ୍ର ଫିଙ୍ଗା ଫୋପଡା କରୁଛି କୁନି ପୁଅ ଶୁଭଙ୍କର । ଆଉ ପୁଅର ଏ ବ୍ୟବହାରରେ ଅତିଷ୍ଟ ହୋଇ ପରିବାରର ଲୋକେ ତା ହାତଗୋଡ ବାନ୍ଧି ଘରେ ପକାଇ ରଖୁଛନ୍ତି ।

ଜଗତସିଂହପୁର ବାଲିକୁଦା ବ୍ଲକ ଦାଗାଁର କୁଣମଣୀ ମଲ୍ଲିକଙ୍କ ସାତ ବର୍ଷର ପୁଅ ଶୁଭଙ୍କର ବନ୍ଦୀ ଜୀବନ କାଟୁଛି । ଜନ୍ମ ପରେ ତାକୁ ବାତ ମାରିବାରୁ ପରିବାର ଲୋକେ ପ୍ରଥମେ ଜଗତସିଂହପୁର ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସା କରାଇଥିଲେ । ଖାଲି ସେତିକ ନୁହେଁ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ବି କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ପୁଅକୁ ଘରେ ପକାଇ ରଖିଛନ୍ତି ବାପାମାଆ ।

ସେପଟେ ଦିନକୁ ଦିନ ଶୁଭଙ୍କରର ପାଗଳାମୀ ବଢି ବଢି ଚାଲିଛି । ଘରର ସବୁ ଜିନିଷ ପତ୍ର ଭଙ୍ଗାରୁଜା କରୁଥିବା ବେଳେ ଘରୁ ହଠାତ କୁଆଡେ ପଳାଇ ଯାଉଛି । କେବେ ଛାତ ତ କେବେ ନଈକୁ ବି ଧାଇଁ ଯାଉଛି ଶୁଭଙ୍କର । ତେଣୁ ବାଧ୍ୟ ହୋଇ ବାପା ମାଆ ପୁଅ ହାତରେ ବେଡି ବାନ୍ଧି ଘରେ ଗେଟ ଦେଇ ରଖୁଛନ୍ତୁି ।

ତେବେ ଉନ୍ନତ ଚିକିତ୍ସା କରାଇଲେ ଶୁଭଙ୍କର ଭଲ ହୋଇ ପାରନ୍ତା ବୋଲି ଡାକ୍ତର କହିଛନ୍ତି । ମାତ୍ର ଦୁଇଟି ପୁଅ ଥିବା କୁଳମଣୀ ଦିନ ମଜୁରିଆ ହୋଇଥିବାରୁ ବଡ ପୁଅ ଶୁଭଙ୍କରର ବଡ ଚିକିତ୍ସା କରାଇବାକୁ ଅସମର୍ଥ । ତେଣୁ ପୁଅର ଚିକିତ୍ସା କରାଇବାକୁ ହାତ ପାତିଛନ୍ତି ବାପା ।