ତୁଳସୀ ଗଛରେ ସଞ୍ଜନା ଜୀବନ ! ଗୁଣିଆ କହିଛି, ଗଛ ବଞ୍ଚିଲେ ସଞ୍ଜନା ବଞ୍ଚିବ, ଗଛ ମରିଗଲେ ଜୀବନ ଦୀପ ଲିଭିଯିବ… କ୍ୟାନସର ପୀଡିତା ଝିଅକୁ ବଞ୍ଚାଇବାକୁ ବାପାମାଆଙ୍କ ପୂଜାପାଠ

ବାପାମାଆଙ୍କ ପରି ସଞ୍ଜନା ବି କର୍କଟ କୋଳରେ ଶୋଇରହି ଗଛ ବଞ୍ଚିରହୁ ବୋଲି ଆଖିରେ ଆଖିଏ ଆଶା ବାନ୍ଧିଛି...

273

କନକ ବ୍ୟୁରୋ: ଘର ଅଗଣାରେ ତୁଳସୀ, ଘର ବାରଣ୍ଡାରେ ସଞ୍ଜନା । ତୁଳସୀ ବଞ୍ଚିଲେ ସଞ୍ଜନା ବଞ୍ଚିବ । ତୁଳସୀ ମରିଗଲେ ସଞ୍ଜନାର ଜୀବନ ଦୀପ ଲିଭିଯିବ । କ୍ୟାନସର ପୀଡିତା ଝିଅକୁ ବଞ୍ଚଇବାକୁ ବିଶ୍ୱାସ-ଅନ୍ଧବିଶ୍ୱାସ ମଝିରେ ଛିଡା ହୋଇଥିବା ବାପାମାଆ ଏ ତୁଳସୀ ଗଛ ଲଗାଇଛନ୍ତି । ଆଉ ଗଛକୁ ବଞ୍ଚାଇ ରଖିବାକୁ ସକାଳୁ ସଞ୍ଜ ପାଣି ଦେଉଛନ୍ତି । କାରଣ ଗୁଣିଆ କହିଛି, ଯେତେଦିନ ଯାଏଁ ଏ ଗଛ ବଞ୍ଚି ଥିବ, ସେତେ ଦିନ ଯାଏଁ ତାଙ୍କ ଝିଅ ବଞ୍ଚି ରହିବ ।

କେନ୍ଦୁଝର ସଦର ବ୍ଲକ ଧାତିକା ଗାଁର ଶୁକ୍ର ମହାକୁଡଙ୍କ ୧୦ ବର୍ଷର ସାନ ଝିଅ ସଞ୍ଜନା ସ୍କୁଲରେ ପାଠ ପଢିଲା ବେଳେ ତଳେ ପଡି ଯାଇଥିଲା । ଘଟଣା ପରେ ତାକୁ କେନ୍ଦୁଝର ଓ ପରେ କଟକ ନେଇ ଦେଖାଇଥିଲେ । ସଞ୍ଜନାକୁ ଟ୍ୟୁମର ହୋଇଥିବା କଥା ଡାକ୍ତର ଜଣାଇବା ସହ କଟକରେ ରହି ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ମାତ୍ର ଅଭାବ ଅନଟନରେ ଚଳୁଥିବା ଶୁକ୍ର ଝିଅର ଚିକିତ୍ସା କରାଇବାକୁ ଅକ୍ଷମ ଥିବାରୁ ସଞ୍ଜନାକୁ ଘରକୁ ଫେରାଇ ଆଣିଥିଲେ । ମାତ୍ର ଦିନ ଗଡିବା ସହ ଝିଅର ଅବସ୍ଥା ବି ବିଗିଡିବାକୁ ଲାଗିଲା ।

ଚାଷବାସ କରି ଘର ଚଳାଉଥିବା ଶୁକ୍ର ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ପୁଣି ଥରେ କଟକ ନେଇଥିଲେ ବି ଡାକ୍ତର କ୍ୟାନସର ସନ୍ଦେହ କରି ଆଚର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ପଠାଇଥିଲେ । ତେବେ କ୍ୟାନସରର ଜୀବାଣୁ ସାରା ଦେହକୁ ସଂକ୍ରମଣ କରି ସାରିଥିବାରୁ ଝିଅକୁ ବଞ୍ଚାଇବା ମୁସକିଲ ବୋଲି ଡାକ୍ତର ସିଧାସିଧା ମନାକରି ଦେଇଥିଲେ । ବାସ୍ ତାପରେ ଡାକ୍ତରୀ ବିଦ୍ୟାରୁ ଭରସା ତୁଟାଇ ଗୁଣିଗାରେଡିର ସହାୟତା ନେଇଥିଲେ ବାପାମାଆ ।

ସେପଟେ କିଛି ବର୍ଷ ପୂର୍ବେ ଅଜଣା ରୋଗରେ ବଡଝିଅର ମୃତ୍ୟୁ ହୋଇଥିବାରୁ ସାନ ଝିଅକୁ ହରାଇବାକୁ ଚାହୁଁନି ମାଆ । ସେଇଥି ପାଇଁ ତ ଝିଅ ଦେହ ଭଲ ହେବା ପାଇଁ ନିଇତି ସକାଳରୁ ସଞ୍ଜ ଚଉରା ମୂଳେ ସଞ୍ଜନା ପାଇଁ ସଞ୍ଜବତୀ ଜାଳୁଛି । ଆଉ ଏ ତୁଳସୀ ଗଛ ସବୁଦିନ ବଞ୍ଚିରହୁ ବୋଲି ଭଗବାନଙ୍କୁ ଡାକୁଛି । ଆଉ ବାପାମାଆଙ୍କ ପରି ସଞ୍ଜନା ବି କର୍କଟ କୋଳରେ ଶୋଇରହି ଗଛ ବଞ୍ଚିରହୁ ବୋଲି ଆଖିରେ ଆଖିଏ ଆଶା ବାନ୍ଧିଛି…